କଟକ:ଷ୍ଟାଡିୟମ ପ୍ରସ୍ତୁତ । ଖେଳାଳି ବି ରେଡ୍ଡୀ ଆଉ ଫ୍ୟାନ୍ସ ବି । ଆଉ ମାତ୍ର କିଛି ଘଣ୍ଟା ବାକି ଦୁଲୁକିବ ସିଲଭର ସିଟି ବାଟବାଟୀ ଷ୍ଟାଡିୟମ । ଦର୍ଶକଙ୍କ ଖଚାଖଚ ଭିଡରେ ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିବ ମଇଦାନ । ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ପ୍ରତୀକ୍ଷା ସମୟ ଯେତିକି ପାଖଉଛି କ୍ରିକେଟପ୍ରେମୀଙ୍କ ମନରେ ଉତ୍ସାହ ସେତିକି ବଢୁଛି । କାରଣ ଆଜି (ରବିବାର) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଡି ମୁକାବିଲା । ସନ୍ଧ୍ୟା 7ଟାରୁ ବ୍ୟାଟେଲ ପାଇଁ ମଇଦାନକୁ ଓହ୍ଲାଇବେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ।
ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଭାରତୀୟ ଦଳ ଆଜିର ମ୍ୟାଚରେ ବିଜୟ ପାଇଁ ଏକଦମ ପ୍ରସ୍ତୁତ ଅଛି । ବାରବାଟୀରେ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବିଶାଳ ସ୍କୋର ସହ ଶୃଙ୍ଖଳିତ ବୋଲିଂ କରିବାକୁ ଯୋଜନା କରିଛି ଭାରତ । ପ୍ରତି ଖେଳାଳିଙ୍କ ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ ହୋଇଛି । ବ୍ୟାଟିଂ ବିଭାଗକୁ ନେଇ ଚିନ୍ତା ନଥିଲେ ବି ବୋଲିଂ ଓ ଫିଲ୍ଡିଂରେ ଦଳକୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ । ଆଜି ଜମ୍ମୁର ଉମ୍ରାନ ମଲ୍ଲି ଡେବ୍ୟୁ କରିପାରନ୍ତି । ପୂର୍ବ ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ଫିକା ପଡିଥିଲା । ଆଜି ସମସ୍ତ ତ୍ରୁଟି ସୁଧାରି ମଇଦାନକୁ ଓହ୍ଲାଇବ ଟିମ । ଭୁବନେଶ୍ବର କୁମାରଙ୍କ ବୋଲିଂ ଉପରେ ଦଳ ନିର୍ଭର କରିବ । ବ୍ୟାଟିଂ ଟପ ଅର୍ଡରରେ ପ୍ରାୟ ସମସ୍ତ ଖେଳାଳି ଭଳ ଫର୍ମରେ ଅଛନ୍ତି । ଇଶାନ କିଷନଙ୍କଠୁ ନେଇ, ଋତୁରାଡ ଗାଏକ୍ବାର୍ଡ, ଶ୍ରେୟାସ ଆୟର, ଅଧିନାୟକ ଋଷବ ପନ୍ତ ଓ ପ୍ୟାଣ୍ଡଙ୍କ ବ୍ୟାଟରୁ ଆଜି କିଛି ସଫଳ ଇନିଂସ ଆଶା କରାଯାଉଛି ।
ପ୍ରଥମ ମ୍ୟାଚ ଜିତିବା ପରେ ଦକ୍ଷିଣ ଆଫ୍ରିକାର ମନୋବଳ ଦୃଢ ଅଛି । ରାଶି ଭାନ ଡର ଡୁସେନ ଓ ଡେଭିଡି ମିଲର ଫର୍ମରେ ଅଛନ୍ତି । ବୋଲିଂ ବିଭାଗରେ ଭ୍ରମଣକାରୀ ଦଳକୁ ଆଶ୍ବସ୍ତି ମିଳିଛି । କାଗିସୋ ରାବାଡା ଓ ଆନରିଜ ନର୍ଜଙ୍କ ଘାତକ ବୋଲିଂ ଜାରି ରହିଛି । ସ୍ପିନର ବିଭାଗକୁ ସାମାନ୍ୟ ଚିନ୍ତାରେ ରହିଛି ଦକ୍ଷିଣ ଆଫ୍ରିକା । ତେବେ ପିଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ପେସ ବୋଲର ମାନେ ଫାଇଦା ଉଠାଇ ବଲକୁ ସୁଇଂ କରାଇ ପାରିବେ । ଟିସ ବିଜୟୀ ଟିମ ଫିଲ୍ଡିଂ ନିଷ୍ପତ୍ତି ନେଇପାରେ ।
ଏହି ହାଇପ୍ରୋଫାଇଲ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି ବାରବାଟୀ । ମ୍ୟାଚକୁ ସଫଳତାର ସହ ସମ୍ପର୍ଣ୍ଣ କରିବାକୁ ଓଡିଶା କ୍ରିକେଟ ଆସୋସିଏସନ (OCA) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ହାଇ ସ୍କୋରିଂ ମ୍ୟାଚ ପାଇଁ ଉପଯୋଗୀ ପିଚ ପ୍ରସ୍ତୁତ ହୋଇଛି । ପୂର୍ବରୁ ଅନେକ ଥର ବାରବାଟୀ ଭାରତ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଅଧିକାଂଶ ମ୍ୟାଚରେ ବିଜୟ ସ୍ବାଦ ଚାଖିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ରେକର୍ଡ ଭଲ ନାହିଁ । 2015 ଅକ୍ଟୋବର 5ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟେଣ୍ଟି ଖେଳାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ବିଜୟ ହୋଇଥିଲା ଖାଲି ସେତିକି ନୁହେଁ ଭାରତକୁ 92 ରନରେ ଆଲଆଉଟ କରିଥିଲା। 2019ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ବିଜୟୀ ହୋଇଥିଲା । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟି-ଟ୍ବେଣ୍ଟିରେ ବିଜୟ ସହ ଦକ୍ଷିଣ ଆଫ୍ରିକା 5ଟିକିଆ ମ୍ୟାଚରେ 1-0ରେ ଆଗୁଆ ଅଛି। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚର ଗୁରୁତ୍ବ ବଢିଛି । ଆଜି ବାରବାଟୀ ମାଟିରେ ଭାରତ ନିହାତି ଜିତିବାକୁ ଚେଷ୍ଟା କରିବ । ଦ୍ୱିତୀୟ ଟି-ଟ୍ୱେଣ୍ଟି ରୋମାଞ୍ଚକର ହେବା ନେଇ ଆଶାୟୀ ଫ୍ୟାନ୍ସ । ଆଜିର ମ୍ୟାଚକୁ ନେଇ ଦର୍ଶକଙ୍କୁ ଆହେତୁକ ଉତ୍ସାହ ଭରି ରହିଛି । ଅନଲାଇନ ଟିକେଟ ହେଉ କି ଟିକେଟ କାଉଣ୍ଟରରେ ତାର ପ୍ରମାଣ ଦେଖାଇ ସାରିଛନ୍ତି ଦର୍ଶକ ।
ଇଟିଭି ଭାରତ, କଟକ