ଓଡିଶା

odisha

ETV Bharat / sports

Cricket World Cup 2023: ଅଧିକ ୱିକେଟ୍‌ ଲକ୍ଷ୍ୟରେ ଜାମ୍ପା, ଇକୋନୋମି ପାଇଁ ନାହିଁ ଚିନ୍ତା - ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୪ ୱିକେଟ୍‌ ସଫଳତା ହାସଲ କରିଥିବା ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଆଡାମ ଜାମ୍ପା ବିଶ୍ବକପ୍‌ ୨୦୨୩ରେ ଅଧିକ ୱିକେଟ୍‌ ଲକ୍ଷ୍ୟରେ ରହିଛନ୍ତି । ସେ ନିଜ ଇକୋନୋମି ପାଇଁ ଚିନ୍ତିତ ନାହାନ୍ତି, ବରଂ ସବୁବେଳେ ୱିକେଟ୍‌ ହାସଲ ପାଇଁ ବୋଲିଂ କରୁଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ଅଧିକ ୱିକେଟ୍‌ ଲକ୍ଷ୍ୟରେ ଜାମ୍ପା
ଅଧିକ ୱିକେଟ୍‌ ଲକ୍ଷ୍ୟରେ ଜାମ୍ପା

By ETV Bharat Odisha Team

Published : Oct 17, 2023, 8:32 PM IST

ଲକ୍ଷ୍ନୌ: ସୋମବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଚଳିତ ବିଶ୍ବକପ୍‌ ୨୦୨୩ର ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ରେ ଦମଦାର ଆରମ୍ଭ କରିଥିଲା ଶ୍ରୀଲଙ୍କା । ୧୨୫ ରନ ପର୍ଯ୍ୟନ୍ତ ଦଳ କୌଣସି ୱିକେଟ୍‌ ହରାଇନଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୨୦୯ରେ ସମସ୍ତ ୱିକେଟ୍‌ ହରାଇଥିଲା ଶ୍ରୀଲଙ୍କା । ଫଳରେ ଅଷ୍ଟ୍ରେଲିଆ ୨୧୦ ରନର ଛୋଟ ଟାର୍ଗେଟକୁ ୫ ୱିକେଟ ବିନିମୟରେ ହାସଲ କରିନେଇଥିଲା । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ୪ ୱିକେଟ୍‌ ସଫଳତା ହାସଲ କରି ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଦଳର ଷ୍ଟାର ବୋଲର ଆଡାମ ଜାମ୍ପା । ତେବେ ସେ ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଅଧିକ ୱିକେଟ୍‌ ଲକ୍ଷ୍ୟରେ ରହିଥିବାରୁ ଅଧିକ ରନ ଖର୍ଚ୍ଚ ହେବାକୁ ନେଇ ସେ ଚିନ୍ତିତ ନଥିବା କହିଛନ୍ତି ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଧୂଆଁଧାର ଆରମ୍ଭ କରିଥିଲା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପେରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ଉଭୟ ୧୨୫ ରନ ଯୋଡ଼ିଥିଲେ । ଲାଗୁଥିଲା ଶ୍ରୀଲଙ୍କା ଏକ ବଡ଼ ସ୍କୋର କରିବ । ହେଲେ ୬୭ ବଲରୁ ୬୧ ରନ କରିଥିବା ପଥୁମ ନିଶଙ୍କା ପ୍ରଥମେ ନିଜ ୱିକେଟ୍‌ ହରାଇଥିଲେ । ପେରେରା ମଧ୍ୟ ୭୮ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅସଲଙ୍କା (୨୫)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ବଡ଼ ସ୍କୋର ଲକ୍ଷ୍ୟରେ ଆରମ୍ଭ କରିଥିବା ଦଳ ମାତ୍ର ୨୦୯ ରନରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ୪ ୱିକେଟ୍‌ ସଫଳତା ପାଇ ମ୍ୟାଚ୍‌କୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇଥିବା ଷ୍ଟାର ସ୍ପିନର ଆଡାମ ଜାମ୍ପା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ପିଠିରେ ଯନ୍ତ୍ରଣା ପରେ 4 ୱିକେଟ ହାତେଇଲେ ଆଡାମ ଜାମ୍ପା, ଦଳକୁ ଦେଲେ ପ୍ରଥମ ବିଜୟ

ଜାମ୍ପାଙ୍କ ଆତ୍ମସମୀକ୍ଷା ପରେ ପରିବର୍ତ୍ତନ: ଶ୍ରୀଲଙ୍କା ବିଜୟ ପୂର୍ବରୁ ଅଷ୍ଟ୍ରେଲିଆ ଦୁଇଟି ବଡ଼ ମ୍ୟାଚ୍‌ ହାରିଯାଇଥିଲା । ପ୍ରଥମେ ଭାରତ ଓ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଜାମ୍ପା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଭାରତ ବିପକ୍ଷରେ ୫୩ ରନ ବ୍ୟୟ କରିଥିବାବେଳେ ତାଙ୍କୁ କୌଣସି ସଫଳତା ମିଳିନଥିଲା । ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସେ ୭୦ ରନ ବ୍ୟୟ କରି ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଶ୍ରୀଲଙ୍କା ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଯଦିଓ ଜାମ୍ପା ୪୭ ରନ ଖର୍ଚ୍ଚ କରିଥିଲେ, ହେଲେ ସେ ୪ଟି ବହୁମୂଲ୍ୟ ୱିକେଟ୍‌ ଅକ୍ତିଆର କରିବାରେ ସଫଳ ହୋଇଥିଲେ । ଅଷ୍ଟ୍ରେଲିଆର ଏହି ବହୁ ପ୍ରତିକ୍ଷୀତ ବିଜୟ ପରେ ଜାମ୍ପା କହିଛନ୍ତି, "ମୁଁ ବହୁତ ଭଲ ଭାବରେ ଆତ୍ମସମୀକ୍ଷା କରିପାରିଛି । ମୁଁ ପ୍ରଥମ ଦୁଇଟି ମ୍ୟାଚ୍‌ ଦେଖି ଶ୍ରୀଲଙ୍କା ବିପକ୍ଷ ତୃତୀୟ ମ୍ୟାଚ୍‌ରେ ମୋର ପ୍ରଦର୍ଶନରେ କିଛି ପରିବର୍ତ୍ତନ ଆଣିପାରିଲି । ଏହା ଦଳ ପାଇଁ କିଛିମାତ୍ରାରେ ସହାୟକ ହୋଇଥିଲା ।"

'ମୁଁ କେବଳ ୱିକେଟ୍‌ ଲକ୍ଷ୍ୟରେ ବୋଲିଂ କରେ': ଭାରତ ବିପକ୍ଷ ମ୍ୟାଚ୍‌କୁ ନେଇ ଜାମ୍ପା କହିଛନ୍ତି, "ଆମେ କେବଳ ୨୦୦ ରନକୁ ଡିଫେଣ୍ଡ କରିବା ଚାପରେ ରହିଥିଲୁ । ହେଲେ ମୁଁ କେବେ ଅଳ୍ପ ରନ ବ୍ୟୟ ଲକ୍ଷ୍ୟରେ ବୋଲିଂ କରେନାହିଁ । ସବୁବେଳେ ୱିକେଟ୍‌ ପାଇଁ ବୋଲିଂ କରିଥାଏ । ମୁଁ ସବୁବେଳେ ବୋଲିଂ ବେଳେ ୱିକେଟ୍‌କୁ ମନରେ ରଖି ଆତ୍ମସମୀକ୍ଷା କରିଥାଏ ଯେ, ମୁଁ ଯେଉଁଠାରେ ଚାହୁଁଥିଲି, ସେଭଳି ବଲ ପକାଇ ପାରିଛି କି ନାହିଁ ? ମୁଁ ସଠିକ ନିଷ୍ପତ୍ତି ନେଇଛି କି ନାହିଁ ? ମୁଁ ମୋର ଲାଇନ ଓ ଲେନ୍ଥରେ କିଛି ପରିବର୍ତ୍ତନ କରୁଛି କି ? ତେଣୁ ମୁଁ କେତେ ରନ ବ୍ୟୟ କଲି ସେନେଇ କେବେ ଚିନ୍ତା କରେନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୫ ୱିକେଟ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ, ଶ୍ରୀଲଙ୍କାର ପରାଜୟଧାରା ଜାରି

'ମ୍ୟାଚ୍‌ ବିଜୟୀ କରାଇଲା କମିନ୍ସଙ୍କ ସ୍ପେଲ୍‌': ଶ୍ରୀଲଙ୍କାର ଉଭୟ ଓପନର କୁସଲ ପେରେରା ଓ ପଥୁମ ନିଶଙ୍କା ଦଳୀୟ ଖାତାରେ ବିନା କୌଣସି କ୍ଷତିରେ ୧୨୫ ରନ ଯୋଡ଼ିଥିଲେ । ସେତେବେଳେ ଶ୍ରୀଲଙ୍କା ଏକ ବଡ଼ ସ୍କୋର କରିବା ପରି ମନେ ହେଉଥିଲା । ହେଲେ ପ୍ରଥମେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍‌ କମିନ୍ସ ପ୍ରଥମ ୱିକେଟ୍‌ ନେଇ ଶ୍ରୀଲଙ୍କାର ଗତିରେ ବ୍ରେକ୍‌ ଲଗାଇଥିଲେ । ଯାହା ମ୍ୟାଚ୍‌ର ଏକ ପ୍ରକାର ଟର୍ଣ୍ଣିଂ ପଏଣ୍ଟ ଥିଲା । ଜାମ୍ପା ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି ଯେ କମିନ୍ସ ହିଁ ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼଼ାଇ ଆଣିଥିଲେ । ସେ କହିଛନ୍ତି, "ନିଶ୍ଚିତ ଭାବରେ ପ୍ୟାଟ୍‌ କମିନ୍ସଙ୍କ ସ୍ପେଲ୍‌ ଆମକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ । ବର୍ଷା ବିରତି ପରେ ତାଙ୍କ ଦ୍ବାରା ହୋଇଥିବା ରନ୍‌ ଆଉଟ୍‌ ଆମକୁ ମ୍ୟାଚ୍‌ରେ ଆହୁରି ଶକ୍ତିଶାଳୀ କରିଥିଲା । ତାଙ୍କର ଉଭୟ ବୋଲିଂ ଓ ଫିଲ୍ଡିଂ ସଠିକ ନହୋଇଥିଲେ ହୁଏତ ଆମର ଲକ୍ଷ୍ୟ ୨୧୦ ନୁହେଁ ୨୬୦ ହୋଇଯାଇଥାନ୍ତା ।"

'ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ': ଅଷ୍ଟ୍ରେଲିଆ ଏହାର ପରବର୍ତ୍ତୀ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳିବ । ଏହି ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଜାମ୍ପା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ସମସ୍ତେ ବେଶ ଖରାପ ଅନୁଭବ କରିଥିଲୁ । ଏହି ଦୁଇ ମ୍ୟାଚ୍‌ରେ ସମସ୍ତେ ଯେଭଳି ପ୍ରଦର୍ଶନ ଦେଇଥିଲୁ, ଏହାଠାରୁ ଅଧିକ ଭଲ ପ୍ରଦର୍ଶନ ଦେଇ ପାରିଥାନ୍ତୁ ବୋଲି ସମସ୍ତେ ଭାବିଥିଲୁ । ଆମକୁ ଅଧିନାୟକ କମିନ୍ସ ମଧ୍ୟ କହିଲେ ଯେ ଆମେ କିଛିମାତ୍ରାରେ ପଛରେ ରହିଯାଉଛେ, ତେଣୁ ସମସ୍ତଙ୍କୁ ଏକାଠି ଆଗକୁ ବଢ଼ିବାକୁ ହେବ । ଏହାପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ମଧ୍ୟ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ସମସ୍ତେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କଲେ ହୁଏତ ଆମେ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଜିତି ପାରିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details