ନୂଆଦିଲ୍ଲୀ: ଆଇପିଏଲ୍ର ମେଗା ନିଲାମୀ ଶେଷ ହେବାପରେ ଏବେ କେଉଁ ସବୁ ଗ୍ରାଉଣ୍ଡକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ତାହାରି ଉପରେ ରହିଛି ସଭିଙ୍କ ନଜର । ତେବେ ରିପୋର୍ଟ ମୁତାବକ ମୋଟ ୪ଟି ଭେନ୍ୟୁକୁ ନେଇ ଆଇପିଏଲ ୨୦୨୨ ଆୟୋଜନ ହେବ । ତେବେ ଏହାକୁ ନେଇ ଆଇପିଏଲ ଅଫିସିଆଲ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।
ଚଳିତ ଥର ଗ୍ରୁପ୍ ପର୍ଯ୍ୟାୟରେ ୧୦ଟିମ୍କୁ ନେଇ ୭୦ଟି ମ୍ୟାଚ୍ ଖେଳାଯିବ । ୫୫ଟି ମ୍ୟାଚ୍ କେବଳ ମୁମ୍ବାଇର ୩ଟି ଷ୍ଟାଡିୟମରେ ଖେଳାଯିବ । ଏହି ତିନୋଟି ଷ୍ଟାଡିୟମ ହେଉଛି ୱାଙ୍ଖେଡେ ଷ୍ଟାଡିୟମ, ବ୍ରାବୋର୍ନ ଷ୍ଟାଡିୟମ ଓ DY ପାଟିଲ ଷ୍ଟାଡିୟମ । ଏହାଛଡ଼ା ବାକିଥିବା ୧୫ଟି ମ୍ୟାଚ୍ ପୁଣେର ଏମ୍ସିଏ ଷ୍ଟାଡିୟମରେ ଖେଳାଯାଇପାରେ ।
୧୦ଟି ଟିମ୍କୁ DY ପାଟିଲ ଷ୍ଟାଡିୟମ ଓ ୱାଙ୍ଖେଡେ ଷ୍ଟାଡିୟମରେ ୪ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ହେବ । ତା ସହିତ ପୁଣେରେ ମଧ୍ୟ ପ୍ରତ୍ୟେକ ଦଳକୁ ୩ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ପଡ଼ିପାରେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ନୌ ସୁପରଜିଆଣ୍ଟ ଓ ଗୁଜରାଟ ଟାଇଟନ୍ସ ଦଳ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ଜୋର ଲଗାଇବେ ।
ମାର୍ଚ୍ଚ ୨୬ ତାରିଖରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇପାରେ । କାରଣ ଏହି ତାରିଖ ଶନିବାର ପଡ଼ୁଛି ଏହାପର ଦିନ ରବିବାର ଥିବାରୁ ବ୍ରଡକାଷ୍ଟର ଡବଲ ହେଡର ମ୍ୟାଚ୍ ପ୍ରସାରଣ କରାଇବାକୁ ବିସିସିଆଇକୁ ଅନୁରୋଧ କରିଛି । ସେପଟେ ବିସିସିଆଇ ମାର୍ଚ୍ଚ ୨୭ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ମୁଡ୍ରେ ରହିଛି ।
ଖାଲି ସେତିକି ନୁହେଁ ମେ ମାସ ୨୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯାଇପାରେ । ତେବେ ପ୍ଲେ-ଅଫ୍ ମ୍ୟାଚ୍ ପାଇଁ କୌଣସି ଗ୍ରାଉଣ୍ଡ ସ୍ଥିର ହୋଇନାହିଁ । ତେବେ କେବେ କେତୋଟି ଗ୍ରାଉଣ୍ଡକୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳାଯିବ ତାହାକୁ ନେଇ ଫେବ୍ରୁଆରୀ ୨୪ ତାରିଖରେ ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲ୍ର ବୈଠକ ହେବ । ଏହାପରେ ଆଇପିଏଲ ସୂଚୀ ବିଧିବଦ୍ଧ ଭାବରେ ଜାରି ହେବ ।