ନୂଆଦିଲ୍ଲୀ:ଏସିସି ପୁରୁଷ ଏମର୍ଜିଂ ଏସିଆ କପରେ ଭାରତ-ଏ ଦଳ ଦମଦାର ପ୍ରଦର୍ଶନ କରିଛି । ଲଗାତାର ତୃତୀୟ ମୁକାବିଲା ଜିତି ସେମିଫାଇନାଲରେ ପ୍ରବେଶ କରିଛି ୟଶ ଧୂଳଙ୍କ ନେତୃତ୍ବାଧୀନ ଭାରତ-ଏ । ଅନ୍ତିମ ଲିଗ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରିଛି ଭାରତ । ସାଇ ସୁଦର୍ଶନ ଅପରାଜିତ ଶତକ ହାସଲ କରିବା ସହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଟସ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଦଳୀୟ ସ୍କୋର 45ରେ ଦଳର 3ଟି ୱିକେଟ ପତନ ହୋଇଥିଲା । ଓପନର ଫରହାନ 35 ରନ କରି ଆଉଟ ହୋଇଥିଲେ । ସୟମ ଆୟୁବ ଓ ଓମାର ୟୁସୁଫ ଖାତା ଖୋଲି ପାରିନଥିଲେ । ମଧ୍ୟଭାଗରେ କାସିମ ଆକ୍ରମ 48 ଓ ମୁବାସିର ଖାନା 28, ହସିବୁଲ୍ଲା ଖାନ 27 ରନ ଓ ମେହରାନ ମମତାଜ ଅପରାଜିତ 25 ରନ କରିଥିଲେ । ପାକିସ୍ତାନ-ଏ 205 ରନ କରିଥିଲା । ଭାରତ- ଏ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗରଗେକର 5 ୱିକେଟ ଓ ମାନବ ସୁତାର 3ଟି ୱିକେଟ ନେଇଥିଲେ ।
206 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ-ଏ । ସାଇ ସୁଦର୍ଶନ ଓ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ । ଅଭିଷେକ 20 ରନ କରି ଆଉଟ ହୋଇଥିଲେ ମାତ୍ର ସାଇ ସୁଦର୍ଶନ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ନିକିନ ଜୋନ ଓ ସାଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିବା ପରେ ଦଳୀୟ ସ୍କୋର 157 ରନରେ ନିକିନି 53 ରନ କରି ଆଉଟ ହୋଇଥିଲେ । ସୁଦର୍ଶନଙ୍କୁ ଆଉଟ କରିବା ପାକ୍ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । 110 ବଲରେ ଅପରାଜିତ 104 ରନ କରି ଦଳକୁ ବିଜୀୟ କରାଇଥିଲା ସାଇ । ଅଧିନାୟକ ୟଶ ଧୂଳ ଅପରାଜିତ 21 ରନ କରିଥିଲେ ।