କୋଲମ୍ବୋ: କ୍ରିକେଟ ପ୍ରେମୀଙ୍କୁ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଏସିଆ କପ ଓ କ୍ରିକେଟ ବିଶ୍ବକପ ପୂର୍ବରୁ ଆଜି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଏସିସି ଏମର୍ଜିଂ ଏସିଆ କପରେ ଆଜି ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ଅପରାହ୍ନ 2ଟାରୁ ଆରମ୍ଭ ହେବ ମୁକାବିଲା । ୟଶ ଧୂଲଙ୍କ ନେତୃତ୍ବରେ ପାକ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ-ଏ । ଗ୍ରୁପ-ବିରେ ଥିବା ଏହି ଦୁଇ ଦଳ ଆଜି ପରସ୍ପରକୁ ଭେଟିବେ । ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ-ଏ ।
ଭାରତ-ଏ ତାର ପ୍ରଥମ ମ୍ୟାଚ ୟୁଏଇ ବିପକ୍ଷରେ ଖେଳିଥିଲା । ଏଥିରେ 8 ୱିକେଟରେ ବିଜୟ ହାସଲ କରିଥିଲା । ଅଧିନାୟକ ୟଶ ଧୂଳ ଦମଦାର ବ୍ୟାଟିଂ କରି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ସେହିପରି ଦ୍ବିତୀୟ ମ୍ୟାଚରେ ନେପାଳ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା ଭାରତ । ଅଭିଷେକ ଶର୍ମା ଓ ସାଇ ସୁଦର୍ଶନଙ୍କ ଦମଦାର ଇନିଂସ ବଳରେ ଭାରତ 9 ୱିକେଟରେ ବିଜୟୀ ହୋଇଥିଲା । ତୃତୀୟ ଲିଗ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।
ଗତ 5 ମ୍ୟାଚର ରେକର୍ଡ:ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ଖେଳାଯାଇଥିବା ଶେଷ 5ଟି ମ୍ୟାଚର ରେକର୍ଡ ଆଧାରରେ ଭାରତ ପଲ୍ଲା ଭାରି ରହିଛି । ଦୁଇ ଦଳ ମଧ୍ୟରେ ଶେଷ ମୁକାବିଲା 7 ବର୍ଷ ପୂର୍ବେ ଖେଳାଯାଇଥିଲା । ଯେଉଁଥିଲେ ଭାରତ-ଏ ପାକିସ୍ତାନ-ଏକୁ 130 ରନରେ ପରାସ୍ତ କରିଥିଲା । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତ 5ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ 1ଟି ମ୍ୟାଚ ଜିତିଥିଲା ।
ଏହା ବି ପଢନ୍ତୁ...Mens Emerging Asia Cup: ଭାରତ 'ଏ'ର ବିଜୟଧାରା ଜାରି, 9 ୱିକେଟରେ ହାରିଲା ନେପାଳ