ଓଡିଶା

odisha

ETV Bharat / sports

WTC Final 2023: ଭାରତର ବଡ଼ ପରାଜୟର କାରଣ କଣ ? ଜାଣନ୍ତୁ... - ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶୋଚନୀୟ ପରାଜୟ

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୋଚନୀୟ ପରାଜୟ ବରଣ କରିଛି ଭାରତ । ତେବେ ଭାରତ WTC ଫାଇନାଲ୍‌ ହାରିବା ପଛରେ ଅନେକ କାରଣ ରହିଛି । ଅଧିକ ପଢ଼ନ୍ତୁ

ଭାରତର ବଡ଼ ପରାଜୟର କାରଣ..
ଭାରତର ବଡ଼ ପରାଜୟର କାରଣ..

By

Published : Jun 11, 2023, 10:27 PM IST

ଲଣ୍ଡନ: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି । ୨୦୯ ରନର ବଡ଼ ବ୍ୟବଧାନରେ ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ । କ୍ରମାଗତ ଦ୍ବିତୀୟ ଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରି ଦଳ ପୁଣି ପରାଜୟର ସ୍ବାଦ ଚାଖିଛି । ଶେଷଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଆନ୍ସ ଟ୍ରଫି ହାତେଇଥିବା ଭାରତ ପାଇଁ ପ୍ରାୟ ୧୦ ବର୍ଷ ଧରି ଆଇସିସି ଟ୍ରଫି ସ୍ବପ୍ନରେ ରହିଯାଇଛି । ୧୦ ବର୍ଷ ପରେ ଏକ ଆଇସିସି ଟାଇଟଲ୍‌ ଜିତିବାକୁ ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ହାସଲ କରିବାରେ ବିଫଳ ହୋଇଛି ରୋହିତ ବାହିନୀ । ତେବେ ଭାରତ WTC ଫାଇନାଲ୍‌ ହାରିବା ପଛରେ ଅନେକ କାରଣ ରହିଛି ।

୧. IPL ପରେ ଖେଳାଳୀଙ୍କୁ ବିଶ୍ରାମ ନମିଳିବା: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ ଖେଳିବା ପୂର୍ବରୁ ଭାରତୀୟ ଖେଳାଳୀ ୨ ମାସ ଧରି ଆଇପିଏଲ ୨୦୨୩ ଖେଳିଥିଲେ । ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ମେ ୨୯ ତାରିଖ ଯାଏଁ ଜାରି ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟ ସରିବା ପୂର୍ବରୁ ଖେଳାଳୀମାନେ ଲଣ୍ଡନ ଗସ୍ତ ଆରମ୍ଭ କରିଥିଲେ । ଫଳରେ ଏହି ହାଇ ପ୍ରୋଫାଇଲ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳୀଙ୍କୁ ବିଶ୍ରାମ ମିଳିନଥିଲା ।

୨. T20 ଫର୍ମାଟ୍‌ରୁ ବାହାରି ପାରିଲେନି ଖେଳାଳୀ: ଆଇପିଏଲ ଶେଷ ହେବା ପରେ ଭାରତୀୟ ଖେଳାଳୀ WTC ଫାଇନାଲ ଖେଳିବାକୁ ଗଲେ । ତେଣୁ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ବାହାରି ହଠାତ୍‌ ସବୁଠାରୁ ଲମ୍ବା ଫର୍ମାଟ ଖେଳିବା ଖେଳାଳୀଙ୍କ ପାଇଁ ମହଙ୍ଗା ପଡ଼ିଥିଲା । ବିଶେଷ କରି ଟପ୍‌ ଅର୍ଡର ଖେଳାଳୀ ଫେଲ୍‌ ମାରିବା ଦଳକୁ ମହଙ୍ଗା ପଡ଼ିଲା । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବିରାଟ କୋହଲି, ଶୁଭମନ ଗିଲ୍‌, ଆଜିଙ୍କ୍ୟ ରାହାଣେ ପ୍ରମୁଖ ଆଇପିଏଲରେ ଧମାଲ୍‌ କରିଥିବା ବେଳେ WTC ଫାଇନାଲରେ ଫେଲ୍‌ ମାରିଥିଲେ । ସମସ୍ତେ ଖରାପ ସଟ୍‌ ଖେଳି ଆଉଟ୍‌ ହୋଇଥିଲେ ।

୩. ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି: WTC ଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ଜୁନ ମାସରେ ଲଣ୍ଡନରେ କୌଣସି ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କ୍ରିକେଟ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ହେଲେ ପିଚ୍‌ରେ ଅତ୍ୟଧିକ ଘାସ ଥିଲା ଥିବାରୁ ବୋଲରଙ୍କୁ ଫାଇଦା ମିଳିବ ବୋଲି କହିଥିଲେ ରୋହିତ । କିନ୍ତୁ ପ୍ରଥମ ଇନିଂସରେ ଏହାର ଓଲଟା ଦେଖିବାକୁ ମିଳିଥିଲା । କଙ୍ଗାରୁ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ଜୋରଦାର ଆକ୍ରମଣ କରିଥିଲେ ।

୪. ଚୂଡ଼ାନ୍ତ ଏକାଦଶରୁ ଅଶ୍ବିନଙ୍କୁ ବାଦ୍‌ ଦେବା: ଟେଷ୍ଟ ଫର୍ମାଟରେ ବିଶ୍ବରେ ନମ୍ବର ୱାନ୍‌ ବୋଲର ହେଉଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ହେଲେ ସେ WTC ଫାଇନାଲରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ଯାହାକୁ ନେଇ କିମ୍ବଦନ୍ତୀ କ୍ରିକେଟର ଚକିତ ହୋଇଥିଲେ । ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସମେତ ଅନେକ ପୂର୍ବତନ କ୍ରିକେଟର ଏଥିପାଇଁ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ବର୍ଷିଥିଲେ ।

୫. ଶୀର୍ଷକ୍ରମ ବ୍ୟାଟରଙ୍କ ବିଫଳତା: ଭାରତ ପରାଜୟର ଅନ୍ୟ ଏକ ବଡ଼ କାରଣ ହେଉଛି ଶୀର୍ଷକ୍ରମ ବ୍ୟାଟରଙ୍କ ବିଫଳତା । ଓପନର ଶୁଭମନ ଗିଲ ପ୍ରଥମ ପାଳିରେ ୧୩ ଓ ୨ୟ ପାଳିରେ ୧୮ ରନ କରି ଆଉଟ ହୋଇଥିଲେ । ସେହିଭଳି ଅଧିନାୟକ ରୋହିତ ଶର୍ମା ପ୍ରଥମ ପାଳିରେ ୧୫ ରନ ଓ ୨ୟ ପାଳିରେ ୪୩ ରନ କରିଥିଲେ । ବିରାଟ କୋହଲି ଓ ଚେତେଶ୍ବର ପୂଜାରା ମଧ୍ୟ ବଡ ପାଳି ଖେଳିବାରେ ବିଫଳ ହୋଇଥିଲେ । ହେଲେ କେବଳ ଆଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details