ନୂଆଦିଲ୍ଲୀ: ପାଖେଇ ଆସୁଛି BCCIର ଘରୋଇ ସିଜିନ କ୍ରିକେଟ । ଏଥିପାଇଁ ପ୍ରତ୍ୟେକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଘରୋଇ ସିଜିନ । ପ୍ରଥମେ ସିନିଅର ମହିଳା ଦିନିକିଆ ଚ୍ୟାଲଞ୍ଜର୍ସ ଟ୍ରଫିରୁ ଆରମ୍ଭ ହେବ ୨୦୨୧-୨୨ ଘରୋଇ ସିଜିନ ।
ଏଥିପାଇଁ ବିସିସିଆଇ ପକ୍ଷରୁ ପ୍ରତିଦିନର ଖେଳସୂଚୀ ଜାରି କରାଯାଇଛି । କେଉଁ ଦଳର ଖେଳ କେଉଁ ଦିନ ରହିଛି ତାହାକୁ ନେଇ ପ୍ରତି ଦଳକୁ ଅବଗତ କରାଇ ଦିଆଯାଇଛି । କୋଲକାତାରେ ବିସିସିଆଇର ସମସ୍ତ ନକଆଉଟ ମ୍ୟାଚ ଖେଳାଯିବ । ତେବେ ମୁସ୍ତାକ ଅଲୀର ଟି-୨୦ ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚଗୁଡ଼ିକ ଦିଲ୍ଲୀରେ ଖେଳାଯିବ । ସେପଟେ ବିଜୟ ହଜାରେ ଟ୍ରଫିର ନକଆଉଟ ମ୍ୟାଚ ଗୁଡ଼ିକ ଚେନ୍ନାଇରେ ଆୟୋଜନ ହେବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ସେପ୍ଟେମ୍ବର ୧ ସୁଦ୍ଧା କେଉଁ କେଉଁ ଯୋଗ୍ୟ ପଡ଼ିଆ ଖାଲି ରହିବ ତାହାକୁ ନେଇ BCCIକୁ ଅବଗତ କରାଇବାକୁ ରାଜ୍ୟଗୁଡ଼ିକୁ ସୂଚନା ଦିଆଯାଇଛି । ପୂର୍ବରୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପ୍ରତ୍ୟେକ ଦଳରେ ଖେଳାଳି, କୋଚିଂ ଷ୍ଟାଫ୍ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ ୩୦ ଜଣ ସଦସ୍ୟ ରହିବେ । ସେଥିମଧ୍ୟରେ ଅଧିକରୁ ଅଧିକ ୨୦ ଜଣ ଖେଳାଳି ସାମିଲ ହୋଇ ପାରିବେ ।
ଅକ୍ଟୋବର ୨୭ ତାରିଖରୁ ୧୯ ବର୍ଷରୁ କମ୍ ମହିଳା ଟି-୨୦ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳାଯିବ । ବିଭିନ୍ନ ବୟସ ବିଭାଗକୁ ନେଇ ମୋଟ ୨୧୨୭ଟି ମ୍ୟାଚ ଖେଳାଯିବ । ଏଥିରେ ଉଭୟ ପୁରୁଷ ଓ ମହିଳା ଗ୍ରୁପ ସାମିଲ ରହିଛନ୍ତି । ଅକ୍ଟୋବର ୨୦ ତାରିଖରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଆରମ୍ଭ ହେବ । ଫାଇନାଲ ମ୍ୟାଚ ନଭେମ୍ବର ୧୨ ତାରିଖ ଖେଳାଯିବ ।ଏହାପରେ ନଭେମ୍ବର ୧୬ ତାରିଖରୁ ଫେବୃଆରୀ ୧୯, ୨୦୨୨ ପର୍ଯ୍ୟନ୍ତ ରଣଜୀ ଟ୍ରଫି ଖେଳାଯିବ । ଏହାପରେ ଫେବୃଆରୀ ୨୩ ତାରିଖ ୨୦୨୨ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ଆୟୋଜନ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ