ହାଇଦ୍ରାବାଦ : କ୍ରିକେଟରୁ ଅବସର ନେଲେ ୨୦୦୭ ଟି୨୦ ବିଶ୍ବକପ ବିଜେତାର ହିରୋ ଯୋଗିନ୍ଦର ଶର୍ମା । ବର୍ଷ ୨୦୦୭ରେ ଟିମ ଇଣ୍ଡିଆ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ପ୍ରଥମ ଟି୨୦ ବିଶ୍ବକପ ହାତେଇ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଥିଲା । ଏହା ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣ ରହିଥିଲା । ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଯୋଗିନ୍ଦର ଶର୍ମାଙ୍କ ଭୂମିକା ବେଶ୍ ମହତ୍ବପୂର୍ଣ୍ଣ ରହିଥିଲା । ପାକିସ୍ତାନ ବିପକ୍ଷରେ ଭାରତ ଟି୨୦ ବିଶ୍ବକପରେ ଫାଇନାଲ ମ୍ୟାଚ ଖେଳିଥିଲା । ଫାଇନାଲ ମ୍ୟାଚ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଯୋଗିନ୍ଦର ଶର୍ମା ଦୁଇଟି ୱିକେଟ ନେଇଥିଲେ । ହେଲେ ଟି୨୦ ବିଶ୍ବକପ ବିଜୟ ପରେ ଯୋଗିନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ମିଳି ନଥିଲା । ଏବେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ଆଜି (ଶୁକ୍ରବାର) ଯୋଗିନ୍ଦର ଶର୍ମା ଟ୍ବିଟରରେ ଅବସର ନେବା ନେଇ ଘୋଷଣା କରିଛନ୍ତି । ଏନେଇ ସେ BCCI ସଚିବ ଜୟ ଶାହାଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ହରିୟାଣାର ରୋହତକବାସିନ୍ଦା ଜୋଗିନ୍ଦର ଶର୍ମାଙ୍କ କ୍ରିକେଟ କ୍ୟାରିୟର ଲମ୍ବା ରହିନଥିଲା । ସେ ଟିମ ଇଣ୍ଡିଆ ପାଇଁ ୪ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେହିପରି ମାତ୍ର ୪ ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଯୋଗିନ୍ଦର ଶର୍ମା କ୍ରିକେଟ କ୍ୟାରିୟରର ସମସ୍ତ ଟି୨୦ ମୁକାବିଲା ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ହିଁ ଖେଳିଛନ୍ତି । ସେ ବର୍ଷ ୨୦୦୪ରେ ଟିମ ଇଣ୍ଡିଆ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ । ବର୍ଷ ୨୦୦୭ରେ ସେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ ଖେଳିଥିଲେ । ଟି୨୦ ବିଶ୍ବକପ ବିଜୟୀ ଟିମର ଏହି ସଦସ୍ୟ ଏବେ ହରିୟାଣାରେ DSP ପଦରେ କାର୍ଯ୍ୟରତ ଅଛନ୍ତି ।