ନୂଆଦିଲ୍ଲୀ: କ୍ରୀଡ଼ା ଉପରେ କୋରୋନା ମହାମାରୀର ଭରପୁର ପ୍ରଭାବ ପଡ଼ିଥିବା ଦେଖା ଦେଇଛି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସିଙ୍ଗାପୁର ଓପନକୁ ବାତିଲ କରି ଦିଆଯାଇଛି । ଏହାକୁ ନେଇ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଫଳରେ ଟୋକିଓ ଅଲମ୍ପିକ୍ସ ଭାଗ ନେବାକୁ ଆଶାୟୀ ଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକାଙ୍କ ସ୍ବପ୍ନ ଧୁଳିସାତ ହୋଇ ଯାଇଛି । ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଶେଷ ସୁଯୋଗ ଥିଲା ।
ଏହି ଟୁର୍ଣ୍ଣାମେଣ୍ଟ ଜୁନ 1 ତାରିଖରୁ ଆରମ୍ଭ ହୋଇ ଜୁନ 6 ତାରିଖ ଯାଏଁ ଆୟୋଜନ ହେବାକୁ ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିଥାଆନ୍ତେ ଭାରତୀୟ ବ୍ୟାଡମିଣ୍ଟନ ତାରକା । ଏହି ତାଲିକାରେ ସାୟନା ନେହୱାଲ, କିଦାମ୍ବୀ ଶ୍ରୀକାନ୍ତ ଭଳି ଖେଳାଳି ସାମିଲ ଅଛନ୍ତି । ତେବେ ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତାକୁ ନେଇ ବିସ୍ତୃତ ସୂଚନା ପରବର୍ତ୍ତୀ ସମୟରେ ଜାରି କରାଯିବ ବୋଲି କହିଛି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ।