ନୂଆଦିଲ୍ଲୀ: ବାସେଲଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ଏକମାତ୍ର ଭାରତୀୟ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ସେ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ତେବେ ଆଜି(ମଙ୍ଗଳବାର) ଭାରତ ଫେରିବା ସହିତ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ସାକ୍ଷାତ କରିଛନ୍ତି ସିନ୍ଧୁ ଓ ତାଙ୍କ କୋଚ୍ ପୁଲେଲା ଗୋପିଚାନ୍ଦ୍ ।
ତେବେ ଏନେଇ କ୍ରୀଡାମନ୍ତ୍ରୀ ଟ୍ବିଟକରି ସୂଚନା ଦେଇଛନ୍ତି । ରିଜ୍ଜୁ ଲେଖିଛନ୍ତି, "ଇତିହାସ ରଚିବା ସହ ଦେଶକୁ ଗର୍ବିତ କରିଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ସ୍ବର୍ଣ୍ଣ ବିଜୟିନୀ ପି.ଭି ସିନ୍ଧୁଙ୍କ ସହିତ ମୋର ସାକ୍ଷାତ ହେଲା । ମୋର ଆଶା ସେ ନିଜର ପ୍ରଦର୍ଶନ ବଳରେ ଆଗକୁ ଏମିତି ଦେଶକୁ ଗର୍ବିତ କରୁ ଚାଲୁଥାନ୍ତୁ, ଏହା ମୋର ଶୁଭକାମନା ।"