ଦୁବାଇ:ଚଳିତ ଦୁବାଇ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ 2021 ଟୁର୍ଣ୍ଣାମେଣ୍ଟରେ ଓଡିଆ ପୁଅ ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତଙ୍କ ବିଜୟ ଯାତ୍ରା ଜାରି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ ।
ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ସର୍ଟଲର ପ୍ରମୋଦ ଭଗତ ଓ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଶୁକାନ୍ତ କଦମ ନିଜର କ୍ବାର୍ଟର ଫାଇନାଲା ମୁକାବିଲାରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ପୁରୁଷ ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ ମୁକାବିଲାରେ ଇଣ୍ଡୋନେସିଆର ଉକୁନ ରୁକାଏନ୍ଦିଙ୍କୁ 21-16 ଓ 21-13ରେ ହରାଇ ଶ୍ରେଷ୍ଠ 4 ମଧ୍ୟରେ ପହଞ୍ଚିଛନ୍ତି । ଏହି ମ୍ୟାଚ 44 ମିନିଟ ଧରି ଖେଳାଯାଇଥିଲା ।
ପୂର୍ବରୁ ମାଳଦୀପର ଅବଦୁଲ ଲତିଫ ମହମ୍ମଦଙ୍କୁ 21-10, 21-9ରେ ତୃତୀୟ ରାଉଣ୍ଡ ମ୍ୟାଚରେ ଏକତରଫା ହରାଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ପ୍ରମୋଦ । ସେମିଫାଇନାଲ ମୁକାବିଲାରେ ମାଲେସିଆର ମହମ୍ମଦ ହୁଜେରୀ ଅବଦୁଲଙ୍କ ସହ ପ୍ରମୋଦଙ୍କ ଲଢେଇ ହେବ । ଅନ୍ୟପଟେ ପୁରୁଷ ଯୁଗଳ ବର୍ଗରେ ମଧ୍ୟ ମନୋଜ ସରକାରଙ୍କ ସହ ଭଗତଙ୍କ ଯୋଡି ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ