ମାଲେସିଆ: ପାକିସ୍ତାନ ଖେଳାଳିଙ୍କୁ ଭିସା ମନା କରିବା ପରେ ଭାରତରେ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲମ୍ପିକ ଆସୋସିଏସନ(ଆଇଓସି) ବ୍ୟାନ ଲଗାଇଛି । ଭବିଷ୍ୟତରେ ଭାରତରେ କୌଣସି ଅଲମ୍ପିକ କିମ୍ୱା ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନକରିବା ପାଇଁ ଏହା ସମସ୍ତ ଦେଶର କ୍ରୀଡା ଆସୋସିଏସନକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଏବେ ଏଥିରେ ବ୍ୟତିକ୍ରମ ଦେଖା ଦେବା ସହ ଭାରତରେ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ନେଇ ଆଶା ଦେଖାଦେଇଛି ।
ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ 26ରେ ନୂଆଦିଲ୍ଲୀରେ ବ୍ୟାଡମିଣ୍ଟନ ୱାର୍ଲଡ ଫେଡେରେସନ(ବିଡବ୍ଲୁଏଫ) ପକ୍ଷରୁ ଇଣ୍ଡିଆନ ଓପନ ଆୟୋଜିତ ହେବ । ଏଥିରେ ବ୍ୟାଡମିଣ୍ଟନ ଜଗତର ଅନେକ ନାମୀଦାମୀ ଷ୍ଟାର ଭାଗ ନେଉଛନ୍ତି । ତେବେ ଆଇଓସିର ତାଗିଦ ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି । ମାତ୍ର ଏପରି ଆଶଙ୍କାକୁ ଖଣ୍ଡନ କରିଛି ବିଡବ୍ଲୁଏଫ । ଟୁର୍ଣ୍ଣାମେଣ୍ଟ ବାତିଲ ନେଇ ଆଇଓସି ପକ୍ଷରୁ କୌଣସି ସରକାରୀ ନିର୍ଦ୍ଦେଶାନାମା ଆସିନଥିବାରୁ ଏହାର ଆୟୋଜନ ହେବାରେ କୌଣସି ସମସ୍ୟା ନାହିଁ ବୋଲି ବିଡବ୍ଲୁଏଫର ଯୋଗାଯୋଗ ଏବଂ ବିଜ୍ଞାପନ ନିର୍ଦ୍ଦେଶକ ଓୱେନ ଲିଡ କହିଛନ୍ତି ।