ନୂଆଦିଲ୍ଲୀ:ମେ' 11ରୁ ଆରମ୍ଭ ହେଉଛି ଇଣ୍ଡିଆ ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ନୂଆଦିଲ୍ଲୀର ଯାଦବ ଇଣ୍ଡୋର ହଲ୍ରେ ଆସନ୍ତା ମାସ 11ରୁ 16 ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ତେବେ କୋଭିଡ-19 ସଂକ୍ରମଣ ଭୟ କାରଣରୁ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ଏହି ପ୍ରତିଯୋଗିତା ।
ଅଲମ୍ପିକ ଚମ୍ପିଆନ କାରୋଲିନା ମାରିନ ଓ ବିଶ୍ବ ନମ୍ବର 1 କେଣ୍ଟୋ ମୋମୋଟାଙ୍କ ଭଳି ଭେଟେରାନ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।
ଏହି ଟୁର୍ଣ୍ଣାମେଣ୍ଟ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ କ୍ୟାଲେଣ୍ଡର ଅନ୍ତର୍ଭୁକ୍ତ ହୋଇଥିବାରୁ ଟୋକିଓ ଟିକେଟ ଆଶାରେ ଥିବା ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଚାଇନା ସମେତ 33ଟି ଭିନ୍ନଭିନ୍ନ ନ୍ୟାସନାଲ ଆସୋସିଏସନରୁ 228 ଖେଳାଳି ଭାଗ ନେବେ । ଏହି ମଧ୍ୟରେ 114 ପୁରୁଷ ଓ 114 ମହିଳା ଖେଳାଳି ରହିଛନ୍ତି ।
ଦେଶରେ ବର୍ଦ୍ଧିତ କୋରୋନା ସଂକ୍ରମଣ ମାମଲା ପାଇଁ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ, ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ଘୋଷଣା କରିଛି । ୟୁକେ ସମେତ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ମଧ୍ୟ ପୂର୍ବ ଓ ୟୁରୋପିଅନ ଦେଶରୁ ଆସିବାକୁ ଥିବା ଖେଳାଳି ଓ ଅଧିକାରୀ 7 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବେ ଓ ମେ' 3ରେ ଦିଲ୍ଲୀ ପହଞ୍ଚିବେ । ଅନ୍ୟଦେଶ ଗୁଡିକରୁ ଆସିବାକୁ ଥିବା ଖେଳାଳିଙ୍କ ପାଇଁ 4 ଦିନ କ୍ବାରେଣ୍ଟିନ ସମୟ ରହିଛି ଓ ମେ' 6 ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାର ସୂଚୀ ରହିଛି ।