ହାଇଦ୍ରାବାଦ: କ୍ରୀଡା ସମ୍ମାନ ନେଇ ବ୍ୟାଡମିଣ୍ଟନ ଆସୋସିଏସନରେ ଘଟିଛି ଆଚମ୍ବିତ ଘଟଣା । ବିଶୃଙ୍ଖଳିତ ଆଚରଣ ପାଇଁ ଷ୍ଟାର ସର୍ଟଲର ଏଚ ଏସ ପ୍ରଣୟଙ୍କ ନାମ କୌଣସି ସମ୍ମାନ ପାଇଁ ସୁପାରିଶ କରାଯାଇନଥିବା, ଶୁକ୍ରବାର ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କୁହାଯାଇଥିଲା । ତେବେ କୋଚ ପୁଲାଲା ଗୋପୀଚାନ୍ଦ ଅର୍ଜୁନ ଆୱାର୍ଡ ପାଇଁ ପ୍ରଣୟଙ୍କ ନାମ ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟକୁ ସୁପାରିଶ କରିଥିବା ଜଣାପଡିଛି ।
ଏନେଇ ମୁଖ୍ୟ କୋଚ ଗୋପୀଚାନ୍ଦ ନିଜେ ସ୍ପଷ୍ଟ କରିଛନ୍ତି । ଗୋପୀଚାନ୍ଦ କହିଛନ୍ତି "କୌଣସି ବିଶୃଙ୍ଖଳା ବିଷୟରେ ମୁଁ ଅବଗତ ନଥିଲି । ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ ପ୍ରାପ୍ତ ଭାବେ ଜଣେ ଖେଳାଳିଙ୍କୁ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିପାରିବେ । ଜୁନ 3ରେ ସରକାରଙ୍କୁ ପ୍ରଣୟଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି । ଭାରତୀୟ ବ୍ୟାଡମିଣ୍ଟନର ମୁଖ୍ୟ କୋଚ ଭାବେ ନୁହେଁ ବରଂ କେବଳ ଖେଳ ରତ୍ନ ଆୱାର୍ଡର ଅଧିକାର ମଧ୍ୟରେ ରହି କରିଛି ।"
ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ କୋଚ ଗୋପୀଚାନ୍ଦ ପ୍ରଣୟଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଥିବା ବିଷୟରେ ଅବଗତ ନାହିଁ । କାରଣ ଶନିବାର (19ଜୁନ) ରେ ଆସୋସିଏସନ ପକ୍ଷରୁ ପ୍ରଣୟଙ୍କୁ ବିଶୃଙ୍ଖଳା ଆଚରଣ ଓ ସମାଲୋଚନା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।
ପ୍ରଣୟ ପୂର୍ବରୁ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଆୱାର୍ଡ ପାଇଁ ଖେଳାଳି ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଟ୍ବିଟରେ ପ୍ରଣୟ ଲେଖିଥଲେ, "ସେହି ପୁରୁଣା ପ୍ରଥା, ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଚମ୍ପିଆନସିପରରେ ଯେଉଁ ଖେଳାଳି ପଦକ ବିଜେତା ରହିଛନ୍ତି , ସେମାନଙ୍କ ନାମ ଆୱାର୍ଡ ପାଇଁ ସୁପାରିଶ କରାଯାଉନାହିଁ । ମାତ୍ର ଏହି ମେଗା ଇଭେଣ୍ଟରେ ନଜର ଆସିନଥିବା ଖେଳାଳିଙ୍କ ନାମ ସୁପାରିଶ କରାଯାଉଛି । ଏହା ହାସ୍ୟାତ୍ମକ ।"
ତେବେ ଏହା ପୂର୍ବରୁ ଏସିଆନ ଚମ୍ପିଆନସିପରେ କିଦାମ୍ବି ଶ୍ରୀକାନ୍ତ ଓ ପ୍ରଣୟ, ଭାରତୀୟ ଟିମ ସେମିଫାଇନାଲରେ ପ୍ରବେଶ କରିବା ପରେ ଆସୋସିଏସନର ବାରଣ ସତ୍ତ୍ବେ ଓହରି ଯାଇଥିଲେ । ଅଲମ୍ପିକ ରାକିଂ ପଏଣ୍ଟ ପାଇଁ ଉଭୟ ସ୍ପେନ ଯାତ୍ରା କରିଥିଲେ । ଏହାକୁ ନେଇ ଉଭୟ ଖେଳାଳିଙ୍କ ଉପରେ ଖପ୍ପା ଥିଲା ବ୍ୟାଡମିଣ୍ଟନ ଆସୋସିଏସନ । ପରେ ଶ୍ରୀକାନ୍ତ ଭୁଲ ସ୍ବୀକାର କରିବା ସହ, ଇମେଲ ଯୋଗେଁ, କ୍ଷମା ପ୍ରାର୍ଥନା କରିବା ପରେ, ଆସୋସିଏସନ ପକ୍ଷରୁ ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସେ ମନୋନୀତ ହୋଇଛନ୍ତି ।