ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଶନିବାର ଦେହାନ୍ତ ହୋଇଛି । କିଡ୍ନୀ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଲୀନା ଗତ ଦେଢ ବର୍ଷ ଧରି କିଡନୀ ସମସ୍ୟା ସହ ସଂଘର୍ଷ କରୁଥିଲେ । କିଛିଦିନ ପୂର୍ବରୁ ତାଙ୍କ ମା’ଙ୍କ କିଡ୍ନୀକୁ ନେଇ ତାଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା । ହେଲେ ଏହା ପରେ ମଧ୍ୟ ଲୀନାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା । ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଗତକାଲି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।
ଲୀନା ‘ସେଠ୍ ଜୀ’, ‘ଆପ କେ ଆ ଜାନେ ସେ’,‘ମେରି ହାନିକାରକ ବିବି’,‘କ୍ଲାସ୍ ଅଫ୍ ୨୦୨୦’ ପରି ଟେଲି ସିରିଏଲ୍ରେ ଅଭିନୟ କରିଛନ୍ତି । ଏଥିସହ ସେ ରାଣୀ ମୂଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚ୍କି’ରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ।
ପ୍ରକାଶ ଥାଉ କି, ମୃତ୍ୟୁର କିଛି ଦିନ ପୂର୍ବରୁ ଲୀନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖାଥିଲା, 'ଅଳ୍ପ କିଛି ନିଶ୍ବାସ ଅଛି ଯାହା ଉଡ଼ିଯିବ ଏବଂ ଏହାଠାରୁ ଅଧିକ ମୃତ୍ୟୁ କଣ କରିବ ?' ବର୍ତ୍ତମାନ ଲୀନାଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ଶୋକ ପ୍ରକାଶ କରୁଛନ୍ତି।