ଚେନ୍ନାଇ: ଲୋକପ୍ରିୟ ତାମିଲ ଟେଲିଭିଜନ ଅଭିନେତ୍ରୀ ଚିତ୍ରା କାମରାଜଙ୍କ ଆତ୍ମହତ୍ୟା ଗତ ବୁଧବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଚେନ୍ନାଇର ନାଜରାଥପେଟର ଏକ ହୋଟେଲ ରୁମରେ ‘ପାଣ୍ଡିଆନ୍ ଷ୍ଟୋରେଜ’ ଅଭିନେତ୍ରୀଙ୍କ ମୃତଦେହ ମିଳିବା କଥା ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇତିମଧ୍ୟରେ ତାଙ୍କ ସ୍ବାମୀ ହେମନାଥଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ହେମନାଥ ସବୁବେଳେ ଟେଲିଭିଜନ ସିରିଏଲରେ ତାଙ୍କର ଅନ୍ତରଙ୍ଗ ଦୃଶ୍ୟକୁ ବିରୋଧ କରୁଥିଲେ । ହୁଏତ ଏହି କାରଣ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିବ । ଆଉ ପରିଶେଷରେ ବାଧ୍ୟ ହୋଇ ଚିତ୍ରା ଆତ୍ମହତ୍ୟା କରିଥିବେ ବୋଲି ପୋଲିସ ସନ୍ଦେହ କରୁଛି । ଯାହାପାଇଁ ହେମନାଥଙ୍କୁ ଗିରଫ କରାଯାଇଛି ।
ଡିସେମ୍ବର 9 ରେ ଚେନ୍ନାଇର ନାଜରାଥପେଟରେ ଥିବା ଏକ ହୋଟେଲ ରୁମରେ ଏହି ଅଭିନେତ୍ରୀଙ୍କ ମୃତଦେହ ମିଳିଥଲା । ଆଉ ସେହି ସମୟରେ ତାଙ୍କ ସହ ହେମନାଥ ଥିଲେ । ନିକଟରେ ଦେଇଥିବା ଏକ ବୟାନରେ ହେମନାଥ କହିଥିଲେ ଯେ ଚିତ୍ରା ତାଙ୍କୁ ଗାଧୋଇବା କଥା କହି ରୁମ ଭିତରକୁ ଯାଇଥିଲେ । ହେଲେ ଘଣ୍ଟାଇ ଦୁଇ ଘଣ୍ଟାଇ ପର୍ଯ୍ୟନ୍ତ ବାହାରକୁ ନଆସିବାରୁ ତାଙ୍କୁ ସନ୍ଦେହ ହୋଇଥିଲା । ତେଣୁ ସେ ହୋଟେଲ କର୍ମଚାରୀଙ୍କୁ ନକଲି ଚାବି ରୁମ କବାଟ ଖୋଲିଥିଲେ । ଯାହାପରେ ସେ ଚିତ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ।
ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ଚିତ୍ରାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ଦ୍ବାରା ହୋଇଛି ବୋଲି । ଏବେ ଯାଞ୍ଚରୁ ଜଣାପଡିଛି ଯେ ଅଭିନେତ୍ରୀ ଅକ୍ଟୋବରରେ ହେମନାଥଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ । ଚିତ୍ରାଙ୍କ ମୃତ୍ୟୁ ମାମଲାରେ ଆରଡିଓ (ରାଜସ୍ବ ବିଭାଗୀୟ ଅଧିକାରୀ)ଙ୍କ ଦ୍ବାରା ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ