ମୁମ୍ବାଇ: ସେପ୍ଟେମ୍ବର 29ରେ ଅନଏୟାର ହେବାକୁ ଯାଉଛି ଛୋଟ ପରଦାର ବିବାଦୀୟ ଶୋ ବିଗ ବସ ସିଜନ 13 । ଏବେ ଠାରୁ ଶୋକୁ ନେଇ ଏକ୍ସାଇଟେଡ ଦର୍ଶକ । ଏଥର ଶୋରେ ଟିଭି ଅଭିନେତ୍ରୀ ରଶ୍ମୀ ଦେସାଇଙ୍କ ବିବାହ କରିବା ଖବର ଜୋର ଧରିଛି ।
କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ବିଗ ବସ ହାଉସକୁ ପ୍ରତିଯୋଗୀ ରୂପେ ଆସିବାକୁ ଯାଉଛନ୍ତି ରଶ୍ମୀ ନିଜ କଥିତ ବୟଫ୍ରେଣ୍ଡ ଅରହାନ ଖାନଙ୍କ ସହ ବିବାହ କରିବେ ବୋଲି । ଏହା କେତେ ଦୂର ସତ କେବଳ ଶୋ ଆରମ୍ଭ ହେଲା ପରେ ହିଁ ଜଣାପଡିବ । କିନ୍ତୁ ଇତିମଧ୍ୟରେ ନିଜ ବିବାହ ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ରଶ୍ମୀ ଆଉ ଅରହାନ ।
ଗୋଲ୍ଡେନ ଗ୍ଲୋରି ଆୱାର୍ଡ ଶୋରେ ନିକଟରେ ଯୋଗ ଦେଇଥିଲେ ରଶ୍ମୀ । ଏହି ଇଭେଣ୍ଟରେ ନିଜ ବିବାହ ଖବରକୁ ଖଣ୍ଡନ କରି କହିଥିଲେ ଏହା କେବଳ ଉଡା ଖବର ଏଥିରେ କୌଣସି ବାସ୍ତବତା ନାହିଁ । ଯଦି ସେ ଭବିଷ୍ୟତରେ ବିବାହ କରିବାକୁ ନିଷ୍ପତ୍ତି ନେବେ ତେବେ ସେ ଫ୍ୟାନ୍ସ ଏବଂ ପ୍ରଶଂସକଙ୍କୁ ନିହାତି ଜଣାଇବେ ।
‘ମୁଁ ଆଜିର ଝିଅ । ମୋର ସବୁ ଅଧିକାର ଅଛି ଯାହାକୁ ମୁଁ ପସନ୍ଦ କରିବି ତାହା ସହ ବୁଲିବାକୁ । ଏପରି ସବୁ ମିଥ୍ୟା ଖବର ମତେ ଖୁବ୍ ଦୁଃଖ ଦେଉଛି । ମୁଁ ପରିପକ୍ବ ମହିଳା । ଆଉ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମିଥ୍ୟା ଖବର ଚର୍ଚ୍ଚା କରିବା ପୂର୍ବରୁ ମତେ ଥରେ ପଚାରନ୍ତୁ । ଏହା କେବଳ ଦୁଃଖଦ ଚର୍ଚ୍ଚା ଛଡା ଆଉ କିଛି ନୁହେଁ’ ବୋଲି କହିଥିଲେ ରଶ୍ମୀ ।
ଅନ୍ୟପଟେ ତାଙ୍କ ବୟଫ୍ରେଣ୍ଡ ଅରହାନ ମଧ୍ୟ ଏହି ଉଡା ଖବର ଉପରେ ଜବାବ ଦେଇଛନ୍ତି । ସେ ଆଉ ରଶ୍ମୀ କେବଳ ଭଲ ବନ୍ଧୁ । ରଶ୍ମି ସହ ତାଙ୍କ ବିବାହ ଖବର ଫେକ । ସେ ଏହା ମଧ୍ୟ ଜାଣିନାହାଁନ୍ତି କି ସେ ବିଗ ବସ ସିଜନ 13ରେ ଯୋଗ ଦେବେ କି ନାହିଁ । ସେ ଏହି ଉଡାଖବର ଶୁଣି ଆଶ୍ଚର୍ଯ୍ୟ ହେବା ସହ ଡରି ମଧ୍ୟ ଗଲେଣି ।