ମୁମ୍ବାଇ: 2020 ବର୍ଷ ସବୁଠୁ ଅଧିକ ପ୍ରଭାବ ପକାଇଛି ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ । କାରଣ ଜଣଙ୍କ ପରେ ଜଣେ ସେଲିବ୍ରିଟିଙ୍କ ମୃତ୍ୟୁ ଖବର ପ୍ରାୟତଃ ଶୁଣିବାକୁ ମିଳୁଛି । ଏବେ ଆଉ ଜଣେ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ଖବରରେ ଖେଳିଯାଇଛି ଶୋକର ଛାୟା । ଏଥର ଆରପାରିକୁ ଚାଲିଯାଇଛନ୍ତି 34 ବର୍ଷିୟ ଟେଲି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର । ତାଙ୍କ ପାଇଁ କାଳ ସାଜିଲା କୋରୋନା । ନିକଟରେ କୋରୋନା ସଂକ୍ରମିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ପାଇଁ ପରିବାର ତାଙ୍କୁ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ହେଲେ ପରିଶେଷରେ ସମସ୍ତଙ୍କୁ ଅଲବିଦା କହିଛନ୍ତି ସେ ।
ବର୍ତ୍ତମାନ ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ‘ୟେ ରିସ୍ତା କ୍ୟା କେହଲାତା ହେ’ କଳାକାର । ସୋସିଆଲ ମିଡିଆରେ ତାଙ୍କୁ ଦୁଃଖଭରା ହୃଦୟ ସହ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି ସମସ୍ତେ ।
ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟା ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘ଯେତେବେଳେ କେହି ମୋ ସାଥିରେ ରହୁନଥିଲେ, ସେହି ସମୟରେ କେବଳ ତୁମେ ରହୁଥିଲ । ଦେବୁ ତୁମେ ମୋର ନିଜର ଥିଲ । ଯାହାକୁ ମୁଁ ଗାଳି କରିପାରୁଥିଲି, ତୁମ ଉପରେ ରାଗିପରୁଥିଲି । ହୃଦୟର କଥା କହିପାରୁଥିଲି । ମୁଁ ଜାଣିଛି ତୁମ ପାଇଁ ଜୀବନ ବହୁତ କଷ୍ଟଦାୟକ ଥିଲା । ଯନ୍ତ୍ରଣା ଅବିସ୍ମରଣୀୟ କିନ୍ତୁ ମୁଁ ଜାଣେ ଆଜି ତୁମେ ଏକ ଭଲ ସ୍ଥାନରେ ରହିବାକୁ ଯାଇଛ ଏବଂ ସମସ୍ତ ଦୁଃଖ, ଯନ୍ତ୍ରଣା, ପ୍ରତାରଣା, ମିଥ୍ୟା ଠାରୁ ମୁକ୍ତ ହୋଇ । ମୁଁ ତୁମକୁ ସବୁବେଳେ ମିସ୍ କରିବି । ଆଉ ତୁମେ ଜାଣିଥିଲ ଯେ ମୁଁ ତୁମକୁ ବହୁତ ଭଲ ପାଏ ବୋଲି । ମୋ ଠୁ ବଡ ତୁମେ ଥିଲା ହେଲେ ମୋ ପାଖରେ ସବୁବେଳେ ପିଲାଙ୍କ ଭଳି ରହୁଥିଲ । ଯେଉଁଠାକୁ ଯାଇଛ ସେଠାରେ ଖୁସିରେ ରୁହ ।’