ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ଦିଆ ଅର ବାତୀ ହମ୍ ର ଅଭିନେତ୍ରୀ ଦୀପିକା ସିଂ ଗୋଏଲଙ୍କ ମା' କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ-19 ପରୀକ୍ଷାର ରିପୋର୍ଟ ସମ୍ପୃକ୍ତ ଡାକ୍ତରଖାନା ପ୍ରଦାନ କରିନଥିବାବେଳେ ରିପୋର୍ଟର ଏକ ଫଟୋ ଉଠାଇ ନେବାକୁ କହିବାରୁ ଉଦବେଗ ପ୍ରକାଶ କରିଛନ୍ତି ଅଭିନେତ୍ରୀ ।
ଅଭିନେତ୍ରୀ ଦିପୀକା ସିଂ ଙ୍କ ମା' ଙ୍କୁ କୋରୋନା, ଭିଡିଓ ସେୟାର କରି ଲୋଡିଲେ ସହାୟତା ଏନେଇ ଅଭିନେତ୍ରୀ ଜଣଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପରିବାରକୁ ଯଥାଶୀଘ୍ର ଚିକିତ୍ସା ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି ।
ଭିଡିଓରେ ଦୀପିକା ଏପରି କହିଛନ୍ତି ଯେ ମୋ ମା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୋ ବାପା ମା ଦିଲ୍ଲୀରେ ରହୁଛନ୍ତି । ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ମାଙ୍କ ପରୀକ୍ଷା କରାଯାଇଥିବାବେଳେ ସେମାନେ ରିପୋର୍ଟ ଦେଇନାହାଁନ୍ତି । କେବଳ ରିପୋର୍ଟର ଫଟୋ ଉଠାଇବାକୁ ଅନୁମତି ଦେଇଥିଲେ । ସମ୍ପୃକ୍ତ କର୍ମଚାରୀ ଯେଉଁମାନେ ବି ଏହାକୁ ଦେଖୁଛନ୍ତି, ଏଥିପ୍ରତି କିଛି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଅଭିନେତ୍ରୀ ।
ଭିଡିଓରେ ସେ କହିଛନ୍ତି ଯେ ଡାକ୍ତରଖାନା ତାଙ୍କୁ ରିପୋର୍ଟ ଦେଇ ନ ଥିବାରୁ ତାଙ୍କ ପିତା ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଆଙ୍କ ବୟସ 59 ବର୍ଷ ହୋଇଥିବା ବେଳେ ବିନା ରିପୋର୍ଟରେ କୌଣସି ଡାକ୍ତରଖାନାରେ ଭର୍ତ୍ତି କରି ପାରୁନାହାଁନ୍ତି । ସେପଟେ ଯୌଥ ପରିବାର ହୋଇଥିବାରୁ ମୋଟ 45 ଜଣ ସଦସ୍ୟ ଘରେ ରୁହନ୍ତି । ପୁରା ପରିବାରଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥିବାବେଳେ ସେମାନଙ୍କର କିପରି ପରୀକ୍ଷା କରିବେ, ଏ ନେଇ ସେ ଦିଲ୍ଲୀ ସରକାରଙ୍କର ସାହାଯ୍ୟ ଲୋଡିଛନ୍ତି ।
ବର୍ତ୍ତମାନ ସ୍ବାମୀ ଏବଂ ପୁଅଙ୍କ ସହ ମୁମ୍ବାଇରେ ରହୁଥିବା ଦୀପିକା ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ଫୋନରେ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।