ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଯେଉଁଥିପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ହଜାର ହଜାର ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ଏହି ଭାଇରସ ବଲିଉଡରେ ହଇଚଇ ସୃଷ୍ଟି କରିଦେଇଛି ।
ଏବେ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କୋରୋନା ସଂକ୍ରମିତ ଲୋକପ୍ରିୟ ୟୁଟ୍ୟୁବର୍ ରାହୁଲ ବୋହରା ଆଜି ସକାଳ ପ୍ରାୟ 6.30 ସମୟରେ ଦିଲ୍ଲୀର ଦ୍ବାରକାସ୍ଥିତ ଆୟୁଷ୍ମାନ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ରାହୁଲଙ୍କୁ ଦିଲ୍ଲୀର ତାହିରପୁରର ରାଜୀବ ଗାନ୍ଧୀ ଡାକ୍ତରଖାନାରେ 8 ଦିନ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାର ଚିକିତ୍ସାରେ ସେ ଅସନ୍ତୁଷ୍ଟ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଏକ ଭଲ ଡାକ୍ତରଖାନାରେ ଭର୍ତ୍ତି ହୋଇ ନିଜର ଭଲ ଚିକିତ୍ସା କରିବାକୁ ଚାହୁଁଥିଲେ । ଏହି ସଂପର୍କରେ ସେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଏକ ଫେସବୁକ ପୋଷ୍ଟରେ ଲେଖିଥିଲେ - "ଯଦି ମୋର ଭଲ ଚିକିତ୍ସା ହୋଇଥାନ୍ତା, ମୁଁ ବଞ୍ଚିଥାନ୍ତି, ତୁମର ଇରାହୁଲ ବୋହରା"।