ଓଡିଶା

odisha

ETV Bharat / sitara

ବିଦାୟୀ ବର୍ଷ 2020:କଣ ହଜାଇ କଣ ପାଇଲା ଓଲିଉଡ ? - ollywood news

ବିଶ୍ବବାସୀଙ୍କ ପାଇଁ ଅଭିଶପ୍ତ 2020 । ଆମେ ଯଦି ଓଲିଉଡ କଥା ଆଲୋଚନା କରିବା ତେବେ, ଅନେକ କଳାକାର କୋରୋନା ପାଇଁ ହଇରାଣ ହେଲେ । ଆଉ ଏପରି ଅନେକ କଳାକାର ମଧ୍ୟ ଅଛନ୍ତି ଯିଏ ସମାଜସେବୀ ହୋଇ ଆଗଧାଡିକୁ ଆସିଲେ । ଗରିବଙ୍କ ସାହା ହେଲେ । ଅଧିକ ପଢନ୍ତୁ...

ବିଦାୟୀ ବର୍ଷ 2020: କଣ ହଜାଇ କଣ ପାଇଲା ଓଲିଉଡ
ବିଦାୟୀ ବର୍ଷ 2020: କଣ ହଜାଇ କଣ ପାଇଲା ଓଲିଉଡ

By

Published : Dec 26, 2020, 10:12 AM IST

ହାଇଦ୍ରାବାଦ: ବିଶ୍ବବାସୀଙ୍କ ପାଇଁ ଅଭିଶପ୍ତ 2020 । ଇତିହାସ ପୃଷ୍ଠାରେ ଛପିବ ଏହି ବର୍ଷର କାହାଣୀ । ବର୍ଷ ପହିଲାରୁ ସବୁକିଛି ଠିକ୍ ଠାକ୍ ଥିଲା, ହେଲେ ଅଚାନକ ଚନ୍ଦ୍ର ଗ୍ରହଣ ପରି ମଧ୍ୟ ମାର୍ଚ୍ଚରୁ ଆରମ୍ଭ ହେଲା ବିଶ୍ବବାସୀକୁ ଗ୍ରାସ କରିବା । ଦିନ ପରେ ଦିନ ବିତିଲା, ଆଉ ମଣିଷ ଖିଆ ଭାଇରସ ଘରେ ଘରେ ପଶିଲା । ହଠାତ୍ ସବୁକିଛି ଠପ୍ ହୋଇଗଲା । ଅର୍ଥନୀତିଠାରୁ ଆରମ୍ଭ କରି ରୀତନୀତି, ସିନେ ଜଗତ, ସାଧାରଣ ଜୀବନରେ ସମୂଦ୍ରର ଜୁଆର ପରି ମାଡି ଆସିଲା ଏହି କୋରୋନା ଭାଇରସ । ଚାରି ଆଡେ ଖେଳିଗଲା କୋକୁଆ ଭୟ । ରଙ୍ଗୀନ ଜଗତ ହୋଇଗଲା ବେରଙ୍ଗୀନ । 2020 ସମସ୍ତଙ୍କ ଜୀବନ ଓ ଜୀବିକା ବଦଳାଇ ଦେଲା । ଆମେ ଯଦି ଓଲିଉଡ କଥା ଆଲୋଚନା କରିବା ତେବେ, ଅନେକ କଳାକାର କୋରୋନା ପାଇଁ ହଇରାଣ ହେଲେ । ଆଉ ଏପରି ଅନେକ କଳାକାର ମଧ୍ୟ ଅଛନ୍ତି ଯିଏ ସମାଜସେବୀ ହୋଇ ଆଗଧାଡିକୁ ଆସିଲେ । ଗରିବଙ୍କ ସାହା ହେଲେ ।

ଓଲିଉଡରେ କୋରୋନାର ପ୍ରଭାବ-

2019ରୁ ଚୀନରେ ଆରମ୍ଭ ହୋଇଯାଇଥିଲା କୋରୋନା । ହେଲେ ଏହି ଭାଇରସ ଭାରତକୁ ପହଞ୍ଚିଥିଲା 2020 ଜାନୁଆରୀ 30 । କୋରୋନା ସଂକ୍ରମଣର ବିସ୍ତାରକୁ ନଜରରେ ରଖି ଭାରତ ସରକାର ମଧ୍ୟ ମାର୍ଚ୍ଚରୁ ଆରମ୍ଭ କଲେ ପ୍ରଥମ ଲକଡାଉନ । ତାଲାବନ୍ଦ ଯୋଗୁଁ ସିନେ ଜଗତରେ ଛାଇଗଲା କଳା ବାଦଲ । ସମସ୍ତେ ନିରାଶ । ସୁଟିଂ ସେଟରୁ ସିନେମା ହଲ୍ ସବୁ ଠପ୍ । ଚାରି ଆଡେ ଖାଁ ଖାଁ । ଜଲିଉଡଠାରୁ ଆରମ୍ଭ କରି ଓଲିଉଡ ସବୁ ନୀରବ । କଳାକାରମାନଙ୍କୁ ଘରୁ ବାହାରିବାକୁ ଦେଲାନି କୋରୋନା । ରୋଜଗାର ଶୂନ । କାମଧାନ୍ଦା ନାହିଁ ତ ଖାଇବା ନାହିଁ । ଧିରେ ଧିରେ କଳାକାରମାନଙ୍କ ବଦଳିଗଲା ବୃତ୍ତି । ପେଟ ପାଇଁ ସଂଘର୍ଷ ଜୀବନ ଆରମ୍ଭ ହେଲ ।

କୋରୋନା ଭଲ ଭଲ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲା । ଫିଲ୍ମ ଅଭିନେତାଙ୍କଠୁ ଆରମ୍ଭ କରି ଯାତ୍ରା କଳାକାର । କାମ ଧନ୍ଦା ନଥିବାରୁ ଗୁଜୁରାଣ ମେଣ୍ଟାଇବାକୁ କିଏ ପରିବା ବିକୁଛି ତ କିଏ ଫଳ । ଅନ୍ୟ ଛୋଟବଡ଼ କଳାକାର ଅନ୍ୟାନ୍ୟ କାର୍ଯ୍ୟପନ୍ଥାକୁ ବାଛିନେଲେ ।

ଏହାରି ଭିତରେ ଅଭିନେତ୍ରୀ ପ୍ରତିଭା ମହାରଣା, ଯିଏ କି ଆଲବମରେ ଲୋକଙ୍କ ମନୋରଞ୍ଜନ କରି ଅନେକ ନାଁ କମାଉଥିଲ । ସେ ଲକଡାଉନ ସମୟରେ ଫଳ ବିକ୍ରି କରିବାକୁ ବାଧ୍ୟ ହେଲେ । ରାସ୍ତା କଡ଼ରେ ଫଳ ବିକି ନିଜର ମାଆର ଚିକିତ୍ସା ପାଇଁ ପଇସା ଜମା କରୁଥିଲେ ।

ସେହିପରି ହାସ୍ୟ ଅଭିନେତା ରବି କୁମାର ଘର ଘର ବୁଲି ପରିବା ବିକିଲେ । ନିର୍ଦ୍ଦେଶକ ଏସକେ ମିରଲିଧରନ୍ ନିଜ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ମଧ୍ୟ ପରିବା ଦୋକାନ ସମ୍ଭାଳିଲେ । ଆଉ କିଛି କଳାକାର ସଚେତନାର ବାର୍ତ୍ତା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ।

ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ସବ୍ୟସାଚୀ....

ବିଦାୟୀ ବର୍ଷ 2020: କଣ ହଜାଇ କଣ ପାଇଲା ଓଲିଉଡ

କୋରୋନା ମହାମାରୀ ସମୟରେ ସବୁ ବର୍ଗର ବ୍ୟକ୍ତି ବିଶେଷ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ରିଲ୍ ରୁ ରିଅଲ ହିରୋ ସାଜିଥିବା ସବ୍ୟସାଚୀ ଆଜି ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଏହି ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇଛନ୍ତି ଓଲିଉଡ ଷ୍ଟାର । ଶହ ଶହ ଶ୍ରମିକଙ୍କୁ ଓଡିଶା ଆଣିବା, ରୋଗୀଙ୍କ ପାଖରେ ଔଷଧ ପହଞ୍ଚାଇବା, କାହାର ବାହାଘର ଅଧାରେ ଅଟକିଛି, କିଏ ଅନଲାଇନରେ ପଢିବାକୁ ମୋବାଇଲ ଦରକାର କରୁଛି ଏଭଳି ଅନେକ ସମସ୍ୟାକୁ ସମାଧାନ କରି ସମସ୍ତଙ୍କ ମୁହଁରେ ହସଫୁଟାଇଛନ୍ତି ସବ୍ୟସାଚୀ । କୋରୋନା ପାଇଁ ସେ ଆରମ୍ଭ କରିଥିଲେ ସେବାମୂଳକ ଅଭିଯାନ । ଆଉ ଆଜି ଯାଏଁ ତାଙ୍କ ଅଭିଯାନକୁ ଜାରି ରଖିଛନ୍ତି । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି ।

ଓଲିଉଡ ଜଗତରେ ଦୁଃଖ ଦେଇଗଲା 2020-

ଦର୍ଶକଙ୍କୁ ମତୁଆଲା କରୁଥିଲା କଳାକାରଙ୍କ ଜୀବନରେ 2020 ଆଣିଦେଇଛି ଦୁଃଖର କଳାପାହାଡ । ବହୁ ମହାନ ଅଭିନେତା ଅଭିନେତ୍ରୀ ଏ ଦୁନିଆ ଛାଡି ଚାଲିଯାଇଥିବା ବେଳେ ଅନେକଙ୍କ ଜୀବିକା ଛଡେଇନେଲା 2020 । କୋରୋନା ସଙ୍କଟ ମଧ୍ୟରେ ଅକାଳରେ ଜଣଙ୍କ ପରେ ଜଣେ କଳାକାର ଜୀବନ ହରାଇଲେ । ଏପରିକି ଓଡିଆ ଜଗତର ବହୁ କିମ୍ବଦନ୍ତୀଙ୍କୁ ଶେଷ ଦର୍ଶନ ବି ଭଲରେ ହୋଇପାରିଲା ନାହିଁ । ମନେ ହୁଏ ଯେପରି କୋରୋନାର ଦୁଃଖ ପାହାଡ ଭିତରେ ଇଣ୍ଡଷ୍ଟ୍ରିଜ ମୁରବୀହୀନ ହୋଇଯାଇଛି ।

ବିଦାୟୀ ବର୍ଷ 2020: କଣ ହଜାଇ କଣ ପାଇଲା ଓଲିଉଡ
ବିଦାୟୀ ବର୍ଷ 2020: କଣ ହଜାଇ କଣ ପାଇଲା ଓଲିଉଡ

ଚଳିତ ବର୍ଷ ଓଲିଉଡ ଜଗତରେ ରଙ୍ଗୀନ ଦିଶୁଥିବା ସିନେ ଆକାଶରେ ଘଟିଗଲା କଳା ବାଦଲ । ଅନକେ ବଡ ବଡ଼ ଅଭିନେତାଙ୍କ ଲିଭିଗଲା ଜୀବନ ଦୀପ । ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାସ ସେପ୍ଟେମ୍ବର 13 ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା । ଗତ ସେପ୍ଟେମ୍ବର 1 ତାରିଖରେ ରେ COVID-19 ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଚିକିତ୍ସିତ ହେଉଥିଲେ ।

ଅଜିତ୍ ଦାସ
ଦୀପା ସାହୁ

ସେହିପରି ଓଲିଉଡ ଅଭିନେତା ବିଜୟ ମହାନ୍ତି ଜୁଲାଇ 20 ତାରିଖ ସନ୍ଧ୍ୟାରେ ପଲସ ଯନ୍ତ୍ରଣା ଅନୁଭବ କରିବାକୁ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ସେପଟେ ହାସ୍ୟ ଅଭିନେତା ସୋମ୍ୟରଞ୍ଜନ ପଣ୍ଡାଙ୍କର ମଧ୍ୟ ଚଳିତ ବର୍ଷ ଦେହାନ୍ତ ହୋଇଛି । ଲୋକପ୍ରିୟ ଆଲବମ କୁଇନ ଦୀପା ସାହୁଙ୍କର ଦେହାନ୍ତ ହୋଇଛି । କର୍କଟ ରୋଗରେ ପୀଡିତ ଥିଲେ ଦୀପା । ଶତାଧିକ ଓଡିଆ ଆଲବମରେ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେ ।

ବରିଷ୍ଠ ଓଡିଆ ସିନେମା ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଦେହାନ୍ତ ହୋଇଛି। ଘରେ ବସି ଥିବାବେଳେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ରାଜୁ ମିଶ୍ର। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେହିପରି ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ମଧ୍ୟ ଦେହାନ୍ତ ହୋଇଛି ।

ସେପଟେ ଓଡ଼ିଆ ସିନେ ଜଗତର ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମିନତି ମିଶ୍ରଙ୍କର ପରଲୋକ ହୋଇଯାଇଛି। ସୁଇଜରଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।

ଅନୁଭବ-ବର୍ଷା ବିବାଦ....

ବର୍ଷା-ଅନୁଭବଙ୍କ ବିବାଦ

2020 ରେ ଓଲିଉଡର ଶ୍ରେଷ୍ଠ ଲୋକପ୍ରୟ ଜୋଡି ବର୍ଷା-ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା । ସକ୍ସେସଫୁଲ ଲଭଷ୍ଟୋରୀରେ ଏପରି ଚାହୁଁ ଚାହୁଁ ଭାଙ୍ଗିଯିବ, ସେ କଥା ଓଡିଶାବାସୀ ମାନିବାକୁ ନାରାଜ ଥିଲେ । କିନ୍ତୁ ଘରୋଇ କଳହ ଯୋଗୁଁ ଜୁଲାଇ ୧୬ରେ ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ । । ୪୭ ପୃଷ୍ଠା ସମ୍ବଳିତ ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସେପଟେ ବର୍ଷା ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସାଂସଦ ଅନୁଭବ କରିଥିବା ଛାଡପତ୍ର ମାମଲାକୁ ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର କରିବା ପାଇଁ ଆବେଦନ କରିଥିଲେ ବର୍ଷା। କଟକ ଏସଡିଜେଏମ କୋର୍ଟରେ ବର୍ଷା ପାରିବାରିକ ହିଂସା କରୁଥିବା ପିଟିସନ ଦାଖଲ କରିଥିଲେ ।

2020ରେ ଓଲିଉଡର ଉପଲବ୍ଧି....

  • ନିର୍ଦ୍ଦେଶକ ମନମୋହନ ମହାପାତ୍ର ପଦ୍ମ ପୁରସ୍କାର ପାଇଛନ୍ତି । ସେହପରି ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ମଧ୍ୟ ମିଳିଲା ପଦ୍ମ ପୁରସ୍କାର ।
  • ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ ପକ୍ଷରୁ ଅଭିନେତା ଅଜିତ ଦାସଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ଘୋଷଣା ହୋଇଥିଲା ।
  • ନବମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜାଙ୍କ ଓଡିଆ ଫିଲ୍ମ ପାଇକ ବିଦ୍ରୋଦ ସ୍ବତନ୍ତ୍ର ଜୁରୀ ପୁରସ୍କାର ପାଇଲା ।
  • ସେହିପରି ରାଜୁ ମିଶ୍ରଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।
  • କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ କୁ ଅନ୍ତର୍ଜାତୀୟ ସମ୍ମାନ ମିଳିଛି ।
  • ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ଓଡିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ଗୋଆରେ ଅନୁଷ୍ଠିତ ହେବାକୁ ଥିବା 51 ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ‘କାଲିର ଅତୀତ’କୁ ମନୋନୀତ କରାଯାଇଥିଲା ।
  • ‘ମୁଁ ତୁମେ ଲକଡାଉନ’ ଫିଲ୍ମଟି ମୋବାଇଲରେ ସୁଟିଂ ହୋଇଥିଲା । ପ୍ରଥମ ଥର ଓଡିଆ ଇଣ୍ଡଷ୍ଟ୍ରିଜରେ ରେକର୍ଡ କରାଯାଇଛି ।
  • 'ଲକିର ଲକଡାଉନ୍ ଲଭଷ୍ଟୋରୀ' । ଲକି ନାମକ ଜଣେ ଯୁବକଙ୍କ ଲକଡାଉନ୍ ସମୟରେ କେମିତି ପ୍ରେମ ହୋଇଛି, ସେ ଉପରେ ଆଧାରିତ ଏହି ଫିଲ୍ମ ।
  • ବାବୁ ଭାଇଜାନ ଏ ବର୍ଷର ପ୍ରଥମ ଫିଲ୍ମ ଥିଲା । ଏହି ଓଡିଆ ଚଳଚ୍ଚିତ୍ରଟି ଜାନୁଆରୀରେ ଆସିଥିଲା ।

ABOUT THE AUTHOR

...view details