ହାଇଦ୍ରାବାଦ: କୁହନ୍ତି ଯୋଡି ଉପରୁ ଲେଖାହୋଇଥାଏ । ହେଲେ ଫିଲ୍ମ ଜଗତରେ ଯୋଡି ବନାନ୍ତି ଫ୍ୟାନ୍ସ । ଯାହାଙ୍କ ଭଲ ପାଇବା ଓ ସେହ୍ନ ଶ୍ରଦ୍ଧାରେ ବାନ୍ଧି ହୋଇ ରିଲରୁ ରିୟଲ ହୁଅନ୍ତି ଅନେକ ଯୋଡି । ଏସବୁ କହିବା ଭିତରେ ସାମ୍ନାକୁ ଆସିଯାଏ ଓଲିଉଡର ଦୁଇ ସୁପରହିଟ ଯୋଡିଙ୍କ କଥା । ଯାହାଙ୍କ ପରଦା ପ୍ରଚ୍ଛଦପଟ୍ଟ ସାଙ୍ଗକୁ ପରଦା ବାହାରେ ମଧ୍ୟ ହୁଏ ବେଶ ଚର୍ଚ୍ଚା । ଆମେ କହୁଛୁ, ସବ୍ୟାର୍ଚ୍ଚିତା ଓ ଅନୁଭବ-ବର୍ଷାଙ୍କ କଥା । ଯେଉଁଠି ଏକ ଭଙ୍ଗା ଘର ପୁଣି ଥରେ ଗଢି ଉଠିଥିବା ବେଳେ ଆଉ ଗୋଟିଏ ଭାଙ୍ଗିବାକୁ ବସିଛି ।
ଗତ 1 ତାରିଖରେ ଓଡିଆ ଇଣ୍ଡଷ୍ଟ୍ରିର ସଫଳ ଅଭିନେତା-ଅଭିନେତ୍ରୀ ସବ୍ୟର୍ଚ୍ଚିତାଙ୍କର ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ହୋଇଥିଲା । ରିଲ ଲାଇଫ ଯୋଡିରୁ ରିୟଲ ଲାଇଫରେ ପତିପତ୍ନୀ ସାଜିଛନ୍ତି ସବ୍ୟ ଓ ଅର୍ଚ୍ଚିତା । ହେଲେ ଦୁଇଜଣଙ୍କ ବିବାହ ଏତେ ସହଜ କଥା ମଧ୍ୟ ନଥିଲା । କାରଣ ଅର୍ଚ୍ଚିତାଙ୍କୁ ପ୍ରେମ କରିବା ପୂର୍ବରୁ ବିବାହିତ ଥିଲେ ସବ୍ୟ ।
ସବ୍ୟ ଇଞ୍ଜିନିୟରିଂ କରୁଥିବା ସମୟରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ । ସୀମା ଓ ସବ୍ୟ ଗୋଟିଏ କଲେଜରେ ପାଠ ପଢୁଥିବା ବେଳେ ପରସ୍ପରକୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣଙ୍କ ବିବାହ ଦୁଇ ବର୍ଷ ପର୍ଯ୍ୟନ୍ତ ଭଲରେ କଟିଥିଲା । ହେଲେ ଉଭୟ ସମ୍ପର୍କରେ ଫାଟ ଦେଖା ଦେବାରୁ ବିବାହର ଦୁଇ ବର୍ଷ ଅର୍ଥାତ 2013 ମସିହାରେ ଦୁହେଁ ଛାଡପତ୍ର ଦେଇଥିଲେ । । ସେପଟେ ଧୀରେ ଧିରେ ସବ୍ୟଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଅର୍ଚ୍ଚିତା ।
ଆଉ ଦୁଇଜଣଙ୍କ ରୋମାନ୍ସ ପ୍ରଥମେ ପରଦାରେ ଦେଖିବାକୁ ମିଳିଥିଲା । ଏହି ଯୋଡି ‘ପିଲାଟା ବିଗିଡି ଗଲା’, ‘ସ୍ମାଇଲ୍ ପ୍ଲିଜ୍’, ‘ମୁଁ ଏକା ତୁମର’, ‘ମୁଁ ସ୍ବପ୍ନର ସୌଦାଗର’, ‘ପାଗଳ କରିଛି ପାଉଁଞ୍ଜି ତୋର’, ‘କୋଉ ଦୁନିଆରୁ ଆସିଲ ବନ୍ଧୁ’, ‘ତୋର ମୋର ଯୋଡି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ ’ ଭଳି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଏହି ସବୁ ଫିଲ୍ମରେ ସବ୍ୟଙ୍କ ସହ ରୋମାନ୍ସ କରିବା ପରେ ପ୍ରଥମେ ପ୍ରପୋଜ କରିଥିଲେ ଅର୍ଚ୍ଚିତା । ସେପଟେ ସବ୍ୟ ଖୁସିରେ ପାଗଳ ହୋଇଯାଇଥିଲେ । କାରଣ ସେ ଦିନରାତି ଯେଉଁ ଝିଅର ସ୍ବପ୍ନ ଦେଖୁଥିଲେ ସେ ତାଙ୍କ ସାମ୍ନାରେ ଥିଲେ । ଏହାପରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।