ସଙ୍ଗୀତ, ତାଳ, ଲୟ, ମୂର୍ଚ୍ଛନା, ଭାବ, ଅର୍ଥ, ହୃଦୟର ଅଭିବ୍ୟକ୍ତି ଓ ସର୍ବୋପରି ଭାଷାର ଅଜସ୍ର ଜ୍ଞାନ । ଗୋଟିଏ ସଙ୍ଗୀତ ଲେଖିବା ପାଇଁ ହେଲେ ଏ ସମସ୍ତ କ୍ଷେତ୍ରରେ ହାସଲ କରିବାକୁ ହୁଏ ମହାରଥୀ । କଲମର କାଳିରେ ମନର ଭାବନାକୁ ଲେଖିବା କିଛି ଛୋଟ କଥା ନୁହେଁ । ଖୁବ କମ ଏମିତି ଲୋକ ଅଛନ୍ତି ଯିଏ ଏହି କଳାରେ ହାସଲ କରିଛନ୍ତି ପାଣ୍ଡିତ୍ୟତା । ସେଥିରୁ ଜଣେ ହେଲେ ଓଡିଆ ସଙ୍ଗୀତ ଜଗତରେ ଅଲିଭା ସ୍ମୃତି ଛାଡି ଯାଇଥିବା ପ୍ରିୟ ‘ଖୋକା ଭାଇ’ ବା ଅକ୍ଷୟ ମହାନ୍ତି । ଓଡିଆ ସଙ୍ଗୀତର ମାଧୁର୍ଯ୍ୟତା, ପରିପୂର୍ଣ୍ଣତା ଓ ସୌନ୍ଦର୍ଯ୍ୟତା ବୁଝିବାକୁ ହେଲେ ଏହି ନାମ ହିଁ ଯଥେଷ୍ଟ ।
ଜୀବନ, ମଣିଷ, ସଙ୍ଗୀତ, ଓଡିଶା ଓ ଓଡିଆ- ସମସ୍ତଙ୍କୁ ପ୍ରାଣ ଭରି ଭଲ ପାଉଥିଲେ ପ୍ରିୟର ଖୋକା ଭାଇ । ଏକାଧାରାରେ ସେ ଥିଲେ ଜଣେ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ଜଣେ ସମ୍ପୂର୍ଣ୍ଣ ସଙ୍ଗୀତଜ୍ଞ ଭାବେ ସେ ଅର୍ଜନ କରିଛନ୍ତି ଖ୍ୟାତି । ଜଣେ ଖୁସ ମିଜାଜ ବ୍ୟକ୍ତି, ଜୀବନକୁ ମନଭରି ଉପଭୋଗ କରୁଥିବା ସଙ୍ଗୀତଜ୍ଞ ତଥା ନିଆରା ଚିନ୍ତାଧାରା ରଖୁଥିବା ମଣିଷ ଭାବେ ସେ ଓଡିଆ ସଙ୍ଗୀତ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କେବଳ ଯେ ଦକ୍ଷ ସଙ୍ଗୀତଜ୍ଞ ନୁହେଁ ବରଂ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ମଧ୍ୟ ତାଙ୍କର ନାମ ରହିଛି ।
କେବେ ପଇସା ପଛରେ ନୁହେଁ ବରଂ ନିଜ ମନକୁ ଶାନ୍ତ କରିବା ପାଇଁ ସେ ରଚନା କରିଥିଲେ ଗୋଟିଏ ପରେ ଗୋଟିଏ ସଙ୍ଗୀତ । ଆଉ ତାଙ୍କ ସ୍ବରର ମାଦକତା ସେହି ସଙ୍ଗୀତକୁ ଅଧିକ ଜୀବନ୍ତ କରିଥିଲା । ହୃଦୟର ଏହି ଶୂନ୍ୟତାକୁ..., ହେ ଫଗୁଣ ତୁମେ ଗଲା ପରେ ପରେ..., ସ୍ମୃତି ତୁମେ..., ଯା ରେ ବାସି ଭାସି ଯା ‘ଚନ୍ଦ୍ର ମଲ୍ଲୀ ହସେ, ଚିତ୍ର ଲେଖା ଉଠେ’, ‘କଳଙ୍କିତ ଏଇ ନାୟକ ଆଖିରୁ, ଲୁହ ବି ପଡ଼ିଲେ ଝରି’, ‘ଏ’ ଏ’ ଆଲୋ ଆଲୋ ମଣି’, ‘ପୁଣ୍ୟର ନଦୀ ତିରେ ପାପର ତରୁ ଡାଳେ’, ‘ମତେ ସାଇଲା ସାଇଲା ତୋ ନାକର ଗୁଣା’, ‘ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି’, ଯାଯାବର ମନମୋର’, ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’, ‘ନଦୀର ନାମ ଅଳସ କନ୍ୟା’, ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଆଦି ତାଙ୍କ ପାରଙ୍ଗମତାକୁ ବଖାଣୁଥିବା କିଛି ସ୍ବତନ୍ତ୍ର ଗୀତ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।