ଓଡିଶା

odisha

ବିଜୟ ମହାନ୍ତିଙ୍କ 71ତମ ଜନ୍ମବାର୍ଷିକୀ, ଆଜି ବି ଦର୍ଶକଙ୍କ ମନରେ କରନ୍ତି ରାଜ୍...

By

Published : Apr 8, 2021, 11:57 AM IST

ଆଜି ଓଡିଆ ସିନେମା ଜଗତର ସୁପରଷ୍ଟାର ଦିବଙ୍ଗତ ବିଜୟ ମହାନ୍ତିଙ୍କ 71 ତମ ଜନ୍ମ ବାର୍ଷିକୀ । ଅଭିନୟ ଠୁ ନେଇ ରାଜନୀତିରେ ଥିଲେ ପାରଙ୍ଗମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ହାଇଦ୍ରାବାଦ: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ ବିଜୟ ମହାନ୍ତି । ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କିଣିଥିଲେ ସେ । ଆଜି ଏହି ମହାନ ଅଭିନେତାଙ୍କ 71ତମ ଜୟନ୍ତୀ ।

ବିଜୟ ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଆଦିକନ୍ଦ ମହାନ୍ତି ଓ ମାତାଙ୍କ ନାମ ଶାନ୍ତିଲତା ମହାନ୍ତି । ସେମାନେ ୨ ଭାଇ ଓ ୩ ଭଉଣୀ ଥିଲେ । ବିଜୟ ସେମାନଙ୍କ ମଧ୍ୟରେ ବଡ଼ ଥିଲେ । ପିତା ଆଦିକନ୍ଦ ବାରିପଦାରେ ସରକାରୀ ବସରେ କଣ୍ଡକ୍ଟର ଚାକିରି କରୁଥିଲେ । ବିଜୟଙ୍କ ଶିକ୍ଷାରମ୍ଭ ସେହିଠାରେ ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢିଲା ବେଳକୁ, ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ମାଟ୍ରିକ ପାସ କଲା ପରେ, ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ ।

ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ । କଲେଜର ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି, ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । କ୍ରମାଗତ ଭାବରେ ନାଟକ ଅଭିନୟ କରି କରି, ସେ ସଫଳତା ପାଇଥିଲେ । ସାଙ୍ଗମାନଙ୍କୁ ନେଇ ଯୁଗେଚ୍ଛା ନାଟ୍ୟ ସଂସ୍ଥା ନାମକ ଅନୁଷ୍ଠାନ ଗଢି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ଅଭିନୟ କ୍ଷେତ୍ର ଆଗକୁ ବଢିବା ନିମନ୍ତେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀରେ ନାମ ଲେଖାଇଥିଲେ । ସେଠାରେ ସେ ଜାତୀୟ ମେଧା ବୃତ୍ତି ଲାଭ କରିଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଯାତ୍ରା ।

୧୯୭୭ ମସିହାରେ ବିଜୟ ମହାନ୍ତି ‘ଚିଲିକା ତୀରେ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଆଉ ନିଜ ପ୍ରଥମ ଫିଲ୍ମରୁ ସେ ନିଜ ଅଭିନୟର ଯାଦୁ ଦେଖାଇବାରେ ସଫଳ ହୋଇଥିଲେ । ‘ଚିଲିକା ତୀରେ’ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ, ‘ନାଗଫାସ’ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର ‘କାବେରୀ’ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା ।

ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ‘ଭୁଲି ହୁଏନା’ ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ । ସେ ଚଳଚ୍ଚିତ୍ର ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଥିଲେ । ୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ବର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ ।

ପ୍ରକାଶ ଥାଉକି ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଗତ ବର୍ଷ ଜୁଲାଇ 20 ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ସେ କେବଳ ଜଣେ ସିନେ କଳାକାର ନୁହେଁ ବରଂ ଓଡ଼ିଶାରେ ମଞ୍ଚ ନାଟକର ଜଣେ ବିନ୍ଧାଣି ଥିଲେ ।

ABOUT THE AUTHOR

...view details