ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ ଖୋଲିବାକୁ ଯାଇ ବଲିଉଡ ସହ ରହିଥିବା ଡ୍ରଗ୍ସ ଲିଙ୍କ ମାମଲାରେ ହେବାରେ ଲାଗିଛି ପର୍ଦ୍ଦାଫାସ । ଏମିତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଆସୁଛନ୍ତି ଜଣେ ପରେ ଜଣେ ବଲିଉଡର ନାମୀଦାମୀ କଳାକାର । ଏହି ତାଲିକାରେ ବର୍ତ୍ତମାନ ସୁଦ୍ଧା ଅଭିନେତ୍ରୀ ରକୁଲପ୍ରିତ ସିଂ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକୋନଙ୍କ ନାମ ଉଠିଥିବା ବେଳେ ଶନିବାର ଏନସିବି ଆଗରେ ହାଜର ହେବା ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଦୀପିକା ଓ ଶ୍ରଦ୍ଧା ।
ଏନସିବି ଆଗରେ ହାଜର ହେବା ପାଇଁ ଦୀପିକାଙ୍କୁ ସମନ ଜାରି ହୋଇଥିଲା । ସେ ସମୟରେ ଦୀପିକା ଗୋଆରେ ଥିବା ବେଳେ ଏନସିବିର ସମନ ଜାରି ହେବା ପରେ ସ୍ବାମୀ ରଣଭୀର ସିଂଙ୍କ ସହ ସେ ଶୁକ୍ରବାର ମୁମ୍ବାଇ ଫେରିଥିଲେ । ତେବେ ଶନିବାର ପ୍ରଥମେ ଦୀପିକା ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ପରେ ପରେ ପହଞ୍ଚିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା । ଏହାପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବା ନେଇ ଜଣା ପଡିଛି । ଏହାକୁ ନଜରରେ ରଖି ମୁମ୍ବାଇ ପୋଲିସ ଏନସିବି କାର୍ଯ୍ୟାଳୟ ସମ୍ମୁଖରେ ବିପୁଳ ଫୋର୍ସ ମୁତୟନ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।