ହିନ୍ଦୀ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ଚେହେରା ଓ ନାମ ଦେବ ଆନନ୍ଦ । ଦେବ ସାହାବ ନାମରେ ସେ ପ୍ରତ୍ୟେକ ଭାରତୀୟଙ୍କ ମନରେ କିଣିପାରିଥିଲେ ସ୍ବତନ୍ତ୍ର ସ୍ଥାନ । ସମୟ ଥିଲା ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଝିଅମାନେ ଥିଲେ ପାଗଳ ପ୍ରାୟ । ବଲିଉଡର ସମସ୍ତ ଟପ୍ ଅଭିନେତ୍ରୀ ତାଙ୍କ ସହ ଅଭିନୟ କରିବା ପାଇଁ ଥିଲେ ବ୍ୟାକୁଳ । ଆଜି ତାଙ୍କର 97ତମ ଜନ୍ମ ବାର୍ଷିକୀରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଏପରି କଥା ଯାହା ହୁଏତ କିଛି କମ ଲୋକେ ଜାଣିଥିବେ ।
ବଲିଉଡରେ ପ୍ରାୟ 100ରୁ ଅଧିକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିଲେ ଏଭରଗ୍ରୀନ ଅଭିନେତା ଦେବ ଆନନ୍ଦ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ ଗାଇଡ, ହରେ କ୍ରିଷ୍ଣା ହରେ ରାମ, ଦେଶ ପରଦେଶ, ଜୁଏଲ ଥିଫ ଓ ଜନି ମେରା ନାମ ଆଦି ତାଙ୍କୁ ଦେଇଥିଲା ବଲିଉଡରେ ଏକ ସ୍ବତନ୍ତ୍ର ଓ ଚିରସ୍ମରଣୀୟ ପରିଚୟ । ମିଠା ହସ ସାଙ୍ଗକୁ ମିଠା କଥା କହୁଥିବା ଦେବ ସାହାବ ବାସ୍ତବ ଜୀବନରେ ମଧ୍ୟ ଜଣେ ପ୍ରଭାବଶାଳୀ ମଣିଷ ଥିଲେ ।
ଜନ୍ମ ସମୟରେ ଦେବବତ୍ତ ପିଶୋରିମାଲ ଆନନ୍ଦ ରହିଥିଲା ତାଙ୍କ ପ୍ରକୃତ ନାମ । ଧରମ ଦେବ ଆନନ୍ଦ ନାମରେ ମଧ୍ୟରେ ସେ ଜଣା ଯାଉଥିବାବେଳେ ତାଙ୍କ ଡାକ ନାମ ଥିଲା ଚିରୁ । ତାଙ୍କୁ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ସର୍ବସାଧାରଣ ସ୍ଥାନରେ କଳା କୋଟ ପିନ୍ଧିବାକୁ ବାରଣ କରାଯାଇଥିଲା । ଏହା ପଛରେ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଝିଅମାନେ ତାଙ୍କୁ କଳା କୋଟରେ ଦେଖିବା ମାତ୍ରେ ପାଗଳ ପ୍ରାୟ ହୋଇ ଭିଡ ଜମାଇବା ସହ ଅନେକ ସମୟରେ ଛାତରୁ ଡେଇଁବାର ଉଦ୍ୟମ କରୁଥିଲେ । ଏହାକୁ ନଜରରେ ରଖି କୋର୍ଟ ପକ୍ଷରୁ ଦେବ ସାହାବଙ୍କ ଉପରେ କଳା କୋଟ ପିନ୍ଧିବାରେ ବାରଣ କରାଯାଇଥିଲା ।
ଅଭିନୟ ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ତାଙ୍କ ଦରମା ଥିଲା ମାତ୍ର 160 ଟଙ୍କା । ନିଜ କ୍ୟାରିୟରର ପ୍ରାରମ୍ଭିକ ସମୟ ସେ ଗୁରୁଦାସପୁର ସହରର ଘରୋଟା ଗ୍ରାମରେ ବିତାଇଥିଲେ । ସେ ହିମାଚଳପ୍ରଦେଶର ହାର୍ଟ ସ୍କୁଲରୁ ଦଶମ ଯାଏଁ ପାଠ ପଢିଥିଲେ । ଏହାପରେ ଧର୍ମଶାଳାରୁ କଲେଜ ପାଠ ପଢା ସାରି ସେ ଲାହୋର ଚାଲିଯାଇଥିଲେ ଚାକିରୀ ଉଦ୍ଦେଶ୍ୟରେ । ତେବେ ମୁମ୍ବାଇରେ ନିଜ ସଂଘର୍ଷମୟ ଜୀବନ ଆରମ୍ଭ କରିଥିବା ବେଳେ ପ୍ରଥମେ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏକ ଆକାଉଣ୍ଟାଣ୍ଟ ଫର୍ମରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କ ଦରମା ଥିଲା ମାତ୍ର 85 ଟଙ୍କା । ଏହାପରେ ସେ ମିଲିଟାରୀ ସେନ୍ସର ଅଫିସରେ ମଧ୍ୟ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କୁ ମାସିକ 160 ଟଙ୍କା ବେତନ ମିଳୁଥିଲା ।