ମୁମ୍ବାଇ: 'ଚଲୋ ବୁଲାୱା ଆୟା ହେ' ଏବଂ 'ଓ୍ବ ଜଙ୍ଗଲ କେ ରାଜା ମେରୀ ମାୟା କୋ ଲେକେ ଆଜା' ଭଳି ଭଜନ ସହିତ ଲୋକଙ୍କ ହୃଦୟକୁ ଜିତିଥିବା ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ 80 ବର୍ଷ ବୟସରେ ଦେହାନ୍ତ ହୋଇଛି।
ନରେନ୍ଦ୍ର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଗତ ତିନି ଦିନ ଧରି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଆଜି(ଶୁକ୍ରବାର) ଅପରାହ୍ନ ପ୍ରାୟ 12.15 ସମୟରେ ନରେନ୍ଦ୍ର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଅନେକ ପ୍ରସିଦ୍ଧ ଭଜନ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଗୀତ ଗାଇଛନ୍ତି।
ନରେନ୍ଦ୍ର କେବଳ ଶାସ୍ତ୍ରୀୟ ସଙ୍ଗୀତରେ ନିଜ ପାଇଁ ଏକ ନାମ ସୃଷ୍ଟି କରିନାହାଁନ୍ତି ବରଂ ଲୋକ ସଂଗୀତରେ ମଧ୍ୟ ଲୋକଙ୍କ ହୃଦୟ ଜିତିଥିଲେ । ନରେନ୍ଦ୍ରଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ବଲିଉଡ ଇଣ୍ତଷ୍ଟ୍ରିରେ ଏବଂ ସେମାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି, ଜଣାଶୁଣା ଗାୟକ ଶ୍ରୀ ନରେନ୍ଦ୍ର ଚଞ୍ଚଲଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ, ବିଶେଷକରି ସଙ୍ଗୀତ ଇଣ୍ତଷ୍ଟ୍ରି ପାଇଁ ଏକ ଗଭୀର କ୍ଷତି । ପ୍ରାୟ ପାଞ୍ଚ ଦଶନ୍ଧିର ସଂଗୀତ ଯାତ୍ରା ସମୟରେ ତାଙ୍କର ଗୀତ ଏବଂ ଭଜନ ସବୁବେଳେ ଶ୍ରୋତାମାନଙ୍କୁ ଖୁସି କରାଇବ । ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା ।
ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରି କହିଛନ୍ତି, ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲ ଜୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ସେ ନିଜର ଜବରଦସ୍ତ ସ୍ବର ସହିତ ଭଜନ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି!
ଲତା ମଙ୍ଗେଶକର ଟ୍ବିଟ କରି କହିଛନ୍ତି ଯେ, ମୁଁ ବର୍ତ୍ତମାନ ଜାଣିବାକୁ ପାଇଲି ଯେ ଜଣେ ଅତି ଦକ୍ଷ ଗାୟକ, ମାତାରାନୀଙ୍କ ଭକ୍ତ ନରେନ୍ଦ୍ର ଚଞ୍ଚଲ ଜୀଙ୍କର ଆଜି ମୃତ୍ୟୁ ଘଟିଛି । ଏହା ଶୁଣି ମୁଁ ବହୁତ ଦୁଃଖିତ। ସେ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ରନବୀର ଶୋରେ ଟ୍ବିଟ କରି କହିଛନ୍ତି ଯେ, ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲ ଜୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା ।
କ୍ରିକେଟର ହରଭଜନ ସିଂ ମଧ୍ୟ ଟ୍ବିଟ୍ କରି କହିଛନ୍ତି, "ନରେନ୍ଦ୍ର ଚଞ୍ଚଲ ଜୀ ଦେହାନ୍ତ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ମୁଁ ବହୁତ ଦୁଃଖିତ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।