ଭୁବନେଶ୍ବର: 24 ଡିସେମ୍ବରରୁ 26 ଡିସେମ୍ବର ଯାଏ ଢାକା ଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ 'ଅନ୍ତର୍ଧ୍ବନି'କୁ 2ଟି ପୁରସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର । ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରସ୍ତୁତ 'ଅନ୍ତର୍ଧ୍ବନି' ଦେଶ ପାଇଁ ଗୌରବ ଆଣିଦେଇଛି । କେଵଳ ସେତିକି ନୁହେଁ, 24 ଏଫପିଏସ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ଓ ସୌଭାଗ୍ୟ ମଧ୍ୟ ପାଇଛି ।
ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ବନି’କୁ ୨ ପୁରସ୍କାର ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ 70ଟି ଦେଶରୁ ପାଖାପାଖି 400ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା । ସେଥିମଧ୍ୟରୁ ବାଂଲାଦେଶର 28ଟି ଚଳଚ୍ଚିତ୍ର ସମେତ 54ଟି ରାଷ୍ଟ୍ରର ମୋଟ 150ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲା ।
ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ନିର୍ଦ୍ଦେଶକ ଏ. କେ ବୀର 'ଅନ୍ତର୍ଧ୍ବନି'ର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି । 24 ଏଫପିଏସ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଚଳଚ୍ଚିତ୍ରର 95 ପ୍ରତିଶତ ଜଙ୍ଗଲରେ ସୁଟିଂ ହୋଇଛି ଏବଂ ଜଙ୍ଗଲକୁ ଏଥିରେ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଛି | ସିନେମାର ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାସୱାଲ, ସ୍ବପ୍ନା ପତି ଓ ତଳବିନ୍ଦର ସିଂ । ସାଉଣ୍ଡରେ ନିହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି ।
ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ବନି’କୁ ୨ ପୁରସ୍କାର ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୋକରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ କାହାଣୀର ମୁଖ୍ୟ ଆଧାର । କାହାଣୀ ଶାନ୍ତନୁ ଓ ଶାଲିନୀ ନାମକ ଦୁଇ ବନ୍ଧୁଙ୍କ ଚାରିପାଖେ କେନ୍ଦ୍ରିତ ହୋଇଛି । ଶାଲିନୀ ହଠାତ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ଆଉ ଏଇଠୁ ଆରମ୍ଭ ହୁଏ ଅନ୍ବେଷଣର କାହାଣୀ । କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ 'ଅନ୍ତର୍ଧ୍ବନି' ଉଚ୍ଚ ପ୍ରସଂଶିତ ହୋଇଥିଲା । ଏହା ବ୍ୟତୀତ ୱଣ୍ଡ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଅପ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଗୌହାଟୀ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗରେ ଏକାଧିକ ପୁରସ୍କାର ଲାଭ କରିସାରିଛି । ଖୁବଶିଘ୍ର ଏହା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ସହ ବର୍ଲିନ ଓ ଲୋକାର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ