ଓଡିଶା

odisha

ETV Bharat / sitara

ଯେବେ ଡିପ୍ରେସନ ସହ ସଂଘର୍ଷ କରିଥିଲେ ଦୀପିକା... - ସୁଶାନ୍ତ ସିଂହ ରାଜପୁତ

ସୁଶାନ୍ତ ପ୍ରଥମ ଆକ୍ଟର ନୁହନ୍ତି ଯିଏ ଏହି ମାନସିକ ଅବସାଦର ଶିକାର ହୋଇଛନ୍ତି । ଆଗରୁ ଅନେକ କଳାକାର ଏହାସହ ଲଢେଇ କରିସାରିଛନ୍ତି । କିଏ ଜିତିଛି ତ କିଏ ହାର ମାନିନେଇଛି । ଅଧିକ ପଢନ୍ତୁ...

ଯେବେ ଡିପ୍ରେସନ ସହ ସଙ୍ଘର୍ଷ କରିଥିଲେ ଦୀପିକା
ଯେବେ ଡିପ୍ରେସନ ସହ ସଙ୍ଘର୍ଷ କରିଥିଲେ ଦୀପିକା

By

Published : Jun 20, 2020, 6:02 PM IST

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଯେପରି ସାରା ବଲିଉଡକୁ ସ୍ତବ୍ଧ କରିଦେଇଛି । ଇଣ୍ଡଷ୍ଟ୍ରିର କଳା ଚେହେରା ସାମନାକୁ ଆଣିଦେଇଛି ଅଭିନେତାଙ୍କ ମୃତ୍ୟୁ ରହସ୍ୟ । ଡିପ୍ରେସନରେ ସୁଶାନ୍ତଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ହେବା ପରେ ସମସ୍ତେ ତାତି ଉଠିଛନ୍ତି । ସୋସିଆଲ ମିଡିଆରେ ବଲିଉଡର ପରିବାରବାଦକୁ ସମାଲୋଚନା କରାଯାଉଛି ।

ତେବେ ସୁଶାନ୍ତ ପ୍ରଥମ ଆକ୍ଟର ନୁହନ୍ତି ଯିଏ ଏହି ମାନସିକ ଅବସାଦର ଶିକାର ହୋଇଛନ୍ତି । ଆଗରୁ ଅନେକ କଳାକାର ଏହାସହ ଲଢେଇ କରିସାରିଛନ୍ତି । କିଏ ଜିତିଛି ତ କିଏ ହାର ମାନିନେଇଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡର ଟପ୍ ହିରୋଇନ ଦୀପିକା ପାଦୁକୋନ୍ ମଧ୍ୟ ନିଜ ଜୀବନରେ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସମୟ ଥିଲା ଯେବେ ସେ ନିଜ ବ୍ୟକ୍ତିଗତ ଏବଂ ପେସାଦାର ଜୀବନରେ ଡିଷ୍ଟର୍ବ ଥିଲେ । କିଛି ଘଟଣା ତାଙ୍କ ଜୀବନକୁ ପୁରା ଦୁର୍ବିସହ କରିଦେଇଥିଲା । ନିଜ ଲଭ୍ ଲାଇଫ୍ ଓ ବ୍ରେକ ଅପ୍ ପାଇଁ ସେ ଡିପ୍ରେସନରେ ଥିବା ଅନେକ ଥର ସର୍ବସାଧାରଣରେ ଖୁଲମଖୁଲା କହିଛନ୍ତି ।

ନିଜେ ଅବସାଦର ଶିକାର ହୋଇଥିବା ଦୀପିକା 2015 ମସିହାରେ ଏହାର ଖୁଲାସା କରିଥିଲେ । ସେତେବେଳେ ତାଙ୍କ ଜୀବନରେ ବହୁତ ସମସ୍ୟା ଚାଲିଥିଲା । କିନ୍ତୁ ସେ ନିଜେ ଏଥିରୁ ବାହାରିବାର ଉପାୟ ଖୋଜିଥିଲେ । ଶେଷରେ ସଫଳ ମଧ୍ୟ ହୋଇଥିଲେ । ପରିସ୍ଥିତି ଆଗରେ ହାର ମାନିନଥିଲେ ଦୀପିକା । ଲଢେଇ କରିଥିଲେ ଆଉ ନିଜକୁ ମୋଟିଭେଟ୍ କରି ଏହି ବିପଦକୁ ଦୂରେଇ ଦେଇଥିଲେ । ଅବଶ୍ୟ ଏଥିପାଇଁ ସେ ଅନେକ ସମୟରେ ହଜବ୍ୟାଣ୍ଡ୍ ରଣଭୀର ସିଂହଙ୍କୁ ମଧ୍ୟ ଧନ୍ୟବାଦ ଦିଅନ୍ତି । ଦୀପିକା କହନ୍ତି ଯେ ସେବେ ସମୟ ତାଙ୍କ ପାଇଁ କଷ୍ଟକର ଥିଲା । କିପରି ବିତାଇବେ ସେ ଜାଣିପାରୁନଥିଲେ । ବଡ କଷ୍ଟରେ ଏଥିରୁ ବାହାରିଛନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଦୀପିକାଙ୍କ ଅନୁସାରେ ମଣିଷ ପାଇଁ ମାନସିକ ଅବସାଦ ଏକ ବଡ ବିପଦର କାରଣ । ଜୀବନକୁ ଏହା ଦୁର୍ବିସହ କରିବା ସହ ଅନେକ ସମସ୍ୟା ଆଣିଥାଏ । ତେବେ ଏଥିରୁ ରକ୍ଷା ପାଇବା ଅନେକ ଉପାୟ ରହିଛି । ବିଭିନ୍ନ ଡାକ୍ତର ବହୁତ ଔଷଧ ବତାଇଥାନ୍ତି । ହେଲେ ସବୁଠାରୁ ବଡ କଥା ନିଜେ ମାନସିକ ଭାବେ ପ୍ରସ୍ତୁତ ହେବା । ଡିପ୍ରେସନରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ଷ୍ଟ୍ରଙ୍ଗ ହେବାକୁ ପଡିବ । ମାନସିକ ସ୍ତରରେ ସୁସ୍ଥ ଓ ଦୃଢ ରହିବା ନିହାତି ଆବଶ୍ୟକ । କାରଣ ଏଥିରେ ପୀଡିତ ବ୍ୟକ୍ତିକୁ ଅନେକ କିଛି ଶୁଣିବାକୁ ପଡିପାରେ । ସେଥିପାଇଁ ସମାଜକୁ ସାମନା କରିବାର ସାମର୍ଥ୍ୟ ଓ ଶକ୍ତି ରଖିବା ଆବଶ୍ୟକ । ଏହାସହ ସବୁବେଳେ ପଜିଟିଭ ଲୋକଙ୍କ ସହ ସମୟ ବିତାଇବା ଉଚିତ । ଉପଯୁକ୍ତ ସମର୍ଥନ ଓ ରାସ୍ତା ଦେଉଥିବା ଲୋକଙ୍କ ସହ ସବୁବେଳେ ଖୁସି ରହିବାର ପ୍ରୟାସ ହିଁ ଏହି ବିପଦରୁ ରକ୍ଷା କରିବ ବୋଲି ଦୀପିକା କହିଛନ୍ତି ।

ସେ କହିଛନ୍ତି, ଦୁଃଖୀ ରହିବା ଓ ଅବସାଦ ରହିବା ଭିତରେ ପାର୍ଥକ୍ୟ ଅଛି । ଜଣେ ଅବସାଦର ଶିକାର ହୋଇଥିଲେ ଦୁଃଖୀ ଭଳି ଦେଖାଯାଏନି । କିନ୍ତୁ ଜଣେ ଦୁଃଖୀର ଚେହେରା ତାର ଦୁଃଖ ସମ୍ପର୍କରେ ସ୍ପଷ୍ଟ କହିଦିଏ । ସମୟ ସହିତ ଦୁଃଖ ଚାଲିଯାଏ । ହେଲେ ମାନସିକ ଅବସାଦ ଏକ ସିରିୟସ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯାହା ଭିତରୁ ଆମକୁ ଖାଲି କରିଦେବା ସହ ଆମ ଚାରିପାଖେ କେବଳ ନେଗେଟିଭ ବାତାବରଣ ଭରିଦିଏ । ଅବସାଦର ଶିକାର ଲୋକଙ୍କୁ ସାହାଯ୍ୟ କରିବା ପରିବାରର କର୍ତ୍ତବ୍ୟ । ନହେଲେ ନିଜ ସମ୍ପର୍କ ହରାଇବାର ଆଶଙ୍କା ରହିଛି ବୋଲି ଦୀପିକା କହିଛନ୍ତି । କାରଣ ଅନେକ ସମୟରେ ପରିବାରଲୋକେ ମାନସିକ ଅବସାଦର ଶିକାର ବ୍ୟକ୍ତି କଥା କହିବାବେଳେ ଲାଜ ଅନୁଭବ କରିଥାନ୍ତି । ଯାହା ଉକ୍ତ ବ୍ୟକ୍ତି ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ କେବେ ହେଲେ ଲଜ୍ଜା ଅନୁଭବ ନକରି ସୁସ୍ଥ ହେବା ପାଇଁ ତାଙ୍କୁ ଉତ୍ସାହିତ କରିବା ଦରକାର । ପରିବାରର ସମର୍ଥନ ନିଶ୍ଚିତ ଆବଶ୍ୟକ ।

ଡିପ୍ରେସନରୁ ମୁକ୍ତି ଗୋଟିଏ ଦିନର ଲଢେଇ ନୁହେଁ । ଏଥିପାଇଁ ଆପଣଙ୍କୁ ଶକ୍ତ ମନୋଭାବ ସହ ଲଢିବାକୁ ହେବ । ପଜିଟିଭ ଲାଇଫଷ୍ଟାଇଲ ଆପଣାଇବା ସହ ନିଜକୁ ମୋଟିଭେଟ୍ କଲେ ହିଁ ଆପଣ ଏଥିରୁ ମୁକ୍ତ ପାଇପାରିବେ । ଡିପ୍ରେସନରେ ଥିବାବେଳେ ଆପଣ ସେପରି ଲୋକଙ୍କୁ ଭେଟନ୍ତୁ ଯିଏ ଆପଣଙ୍କୁ ଏଥିରୁ ମୁକ୍ତି ଦେଇପାରିବେ । ଏହି ଲଢେଇରେ ଆପଣ ଏକା । ନିଜେ ହିଁ ଏଥିରୁ ମୁକ୍ତି ପାଇବେ ଯେବେ ନିଜେ ଆପଣ ଦୃଢ ଭାବରେ ଲଢିବେ । ତେବେ ଦୀର୍ଘ ଦିନର ଲଢେଇ ସଫଳ ହେବା ପରେ ଏଥିରେ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ ବୋଲି ବଲିଉଡର ମସ୍ତାନୀ କହିଛନ୍ତି । କାରଣ ଆପଣ ହିଁ ଜାଣିଛନ୍ତି ଏହା କେମିତି ଓ କିପରି ଲଢିଯାଇପାରିବ । ଆଉ ଏହା ଶେଷ ରାସ୍ତା ନୁହେଁ ତାହା ବି ଆପଣଙ୍କୁ ଜଣା । ସେଥିପାଇଁ ଆଉ ଗୋଟିଏ ଲୋକର ଜୀବନ ରକ୍ଷା କରିବା ଆପଣଙ୍କ କର୍ତ୍ତବ୍ୟ ବୋଲି ଦୀପିକା କହନ୍ତି ।

ABOUT THE AUTHOR

...view details