ମୁମ୍ବାଇ:ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ମିସ ୟୁନିଭର୍ସ ୨୦୨୧ ହରନାଜ ସାନ୍ଧୁ । ମହିଳାମାନଙ୍କୁ ଟାର୍ଗେଟ ବନ୍ଦ କରିବାକୁ ସେ ସମାଜକୁ ଅପିଲ୍ କରିଛନ୍ତି । ମହିଳାମାନଙ୍କୁ ନିଜ ହିସାବରେ ଜୀବନ ବିତାଇବାକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ୩ ଜଣିଆ ଖଣ୍ଡପୀଠ କ୍ଲାସରୁମ ମଧ୍ୟରେ ହିଜାବ ପିନ୍ଧିବାକୁ ବାରଣ କରିଥିଲେ । ତେବେ ଏହା କୌଣସି ପ୍ରମୁଖ ଧାର୍ମିକ ପରମ୍ପରା ନ ହୋଇଥିବାରୁ ସେ ଏହାକୁ ଅନୁମତି ଦେଇନଥିଲେ । ଏହାପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ହରନାଜ ।
ଏହି ଘଟଣାକୁ ନେଇ ହରନାଜଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ହିଜାବ ବିବାଦକୁ ସେ କିପରି ଦେଖୁଛନ୍ତି ଏ ନେଇ ଜଣେ ରିପୋର୍ଟରେ ହରନାଜଙ୍କୁ ପ୍ରଶ୍ନ କରିଥିଲେ । ହରନାଜ ଘରକୁ ଫେରିବା ପରେ ଗତ ମାର୍ଚ୍ଚ ୧୭ ତାରିଖରେ ଏକ ଇଭେଣ୍ଟରେ ଯୋଗ ଦେଇଥିବାର ଏହି ଭିଡିଓ କ୍ଲିପଟି ବୋଲି ଜଣାପଡ଼ିଛି । ଏହା ଉପରେ ସେ କୌଣସି ପ୍ରତିକ୍ରିୟା ରଖିବା ପୂର୍ବରୁ ଅର୍ଗାନାଇଜର ଏଭଳି ବିବାଦୀୟ ପ୍ରଶ୍ନ ନ ପଚାରିବାକୁ ରିପୋର୍ଟରଙ୍କୁ ଅନୁରୋଧ କରିଥିଲେ । ଏହାବ୍ୟତୀତ ହରନାଜଙ୍କୁ ତାଙ୍କ ସଫଳତା ଓ ସଂଘର୍ଷ ସମ୍ପର୍କରେ ପ୍ରଶ୍ନ କରିବାକୁ କହିଥିଲେ ।