ହାଇଦ୍ରାବାଦ:ସଉକ ଆଗରେ ନତମସ୍ତକ ହୋଇଛି ବୟସ। ବୟସର ଅପରାହ୍ଣରେ ବି ସେ ଚଳଚଞ୍ଚଳ। ହଁ ଆଜ୍ଞା, ଆମେ କହୁଛୁ ଭେଟେରାନ ବରିଷ୍ଠ ବଲିଉଡ ଅଭିନେତ୍ରୀ ୱାହିଦା ରେହମାନଙ୍କ କଥା। ଗତ ଫେବ୍ରୁଆରୀ ମାସରେ 83 ବର୍ଷରେ ପଦର୍ପଣ କରିଥିଲେ ୱାହିଦା ରେହମାନ। ଏହି ବୟସରେ ସେ ପାଲଟିଛନ୍ତି ୱାଇଲ୍ଡ ଲାଇଫ ଫଟୋଗ୍ରାଫର। ଏହାପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ରହସ୍ୟମୟୀ ସମୁଦ୍ରରେ ସ୍କୁବା ଡାଇଭିଂ କରୁଥିବା ନଜର ଆସିଛନ୍ତି ଏହ ଭେଟେରାନ ଅଭିନେତ୍ରୀ।
ସମୁଦ୍ର ଭିତରେ ସ୍କୁବା ଡାଇଭିଂ କରୁଥିବା ବେଲେ ୱାହିଦା ରେହମାନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବହୁଦିନରେ ଏହି ଇଚ୍ଛା ପୂରଣ କରିବାକୁ ଲକ୍ଷ୍ୟ ରଖିଥିଲେ ଏହି 60 ଦଶକର ଅଭିନେତ୍ରୀ। 2019 ମସିହାରେ ଟ୍ବିଙ୍କେଲ ଖନ୍ନାଙ୍କ ସହ ଏକ ସାକ୍ଷାତକାର ବେଳେ ନିଜ ସ୍କୁବା ଡାଇଭିଂ ଇଚ୍ଛା ନେଇ ଆଲୋଚନା କରିଥିଲେ ୱାହିଦା ରେହମାନ। ଆଗାମୀ ଦୁଇ ବର୍ଷ ମଧ୍ୟରେ ନିଜ ଇଚ୍ଛା ପୂରଣ କରିବେ ବୋଲି ସେ କହିଥିଲେ। ଯାହା 2021ରେ ପୂରଣ ହୋଇଥିବା ମନେ ହେଉଛି।