ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନ ନିଜର ଆଗାମୀ ଫିଲ୍ମ ‘କୁଲି ନଂ-1’ପାଇଁ ଚର୍ଚ୍ଚାରେ । ସେ ପ୍ରଥମଥର ନିଜ ପିତାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନଜର ଆସିବେ । ନିର୍ମାତା ଡେଭିଡ ଧୱନଙ୍କ 1995ରେ ଆସିଥିବା ସୁପରହିଟ୍ ଫିଲ୍ମ ‘କୁଲି ନଂ-1’ର ଏହା ରିମେକ ଫିଲ୍ମ । ଯେଉଁଥିରେ ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ କରିସ୍ମା କପୁର ଅଭିନୟ କରିଥିଲେ । ଏଥର ଏହାର ରିମେକ ଫିଲ୍ମରେ ଗୋବିନ୍ଦାଙ୍କ ଅବତାରରେ ନଜର ଆସିବେ ବରୁଣ । ଯାହାର ସୁଟିଂ ସେ ଆରମ୍ଭ କରିଦେଇଛନ୍ତି ।
କିଛି ଦିନ ପୂର୍ବରୁ ଫିଲ୍ମର ସୁଟିଂ ବ୍ୟାଙ୍ଗକକରେ ଆରମ୍ଭ ହୋଇଥିଲା । ଏହାର ସୂଚନା ବରୁଣ ସୋସିଆଲ ମିଡିଆରେ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ବରୁଣଙ୍କ ଆଉ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ ବୋଟରେ ଝୁଲୁଥିବାର ଦେଖାଯାଉନ୍ତି ।