ମୁମ୍ବାଇ: 2020 ବର୍ଷ ବଲିଉଡ ପାଇଁ ସବୁଠୁ କାଳ ବର୍ଷ ସାଜିଛି । କାରଣ ଚଳିତ ବର୍ଷ ଅନେକ କଳାକାରଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି । ଜଣଙ୍କ ପରେ ଜଣେ ସେଲିବ୍ରିଟିଙ୍କ ଆକସ୍ମିକ ମୃତ୍ୟୁରେ ଦୁଃଖି ସମସ୍ତେ । ସୋମବାର ଏମିତି ଝଟକା ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଥିଲା । ଯେବେ ମାତ୍ର 34 ବର୍ଷରେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିଲେ ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର । କୋରୋନା ପାଇଁ ଚାଲିଯାଇଛି ତାଙ୍କ ଜୀବନ । ସେପଟେ ତାଙ୍କ ଦେହାନ୍ତରେ ଏଯାବତ ଶୋକରେ ଅଛନ୍ତି ଟେଲି ତାରକା । ସର୍ବପ୍ରଥମେ ତାଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ କରିଥିଲେ ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ । ଆଉ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ଏକ ଇମୋସନାଲ ଭିଡିଓ ।
ଯେଉଁଥିରେ ସେ କାନ୍ଦି କାନ୍ଦି ଦିବ୍ୟାଙ୍କୁ ମନେ ପକାଉଥିବାର ନଜର ଆସୁଛନ୍ତି । ଆଉ ଅନେକ ଅଭିଯୋଗ ମଧ୍ୟ ଆଣିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ସେ କହୁଛନ୍ତି, ‘ଏହି ଭିଡିଓ ମୁଁ ମୋ ବନ୍ଧୁ, ପରିବାର ଓ ଭଉଣୀ ପାଇଁ କରୁଛି । ଯିଏ ମତେ ଛାଡି ଚାଲିଯାଇଛନ୍ତି । ଏବେ ତ ସେ ଜୀବନ ଆରମ୍ଭ କରିଥିଲେ । ସେ ଚାହୁଁଥିଲେ ସବୁ କିଛି ଏକୁଟିଆ କରିବେ । ହୁଏତଃ ଭଗବାନ ତାଙ୍କ କଷ୍ଟ ଦେଖିପାରିଲେ ନାହିଁ । ସେଥିପାଇଁ ତାଙ୍କୁ ଡାକି ନେଲେ । ସେ ଜୀବନରେ ଅନେକ ସଂଘର୍ଷ ଦେଖିଛନ୍ତି । ବିଶେଷ କରି ସେ ରିଲେସନଶିପରେ ଧୋକା ଖାଇବା ପରେ ଭାଙ୍ଗି ଯାଇଥିଲେ । ସେ ଏମିତି ରିଲେସନଶିପରେ ଥିଲେ ଯେଉଁଥିରେ ତାଙ୍କୁ ଦୁଃଖ ବ୍ୟତୀତ କିଛି ମିଳିନଥିଲା ।’