ହାଇଦ୍ରାବାଦ:୩ ଦଶନ୍ଧି ପରେ ଏବେ ସର୍ବସମ୍ମୁଖରେ ପ୍ରଦର୍ଶିତ ହୋଇଛି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଓ ଦୁର୍ଦ୍ଦଶା । ଅନେକ ଦିନ ଧରି ଲୁଚି ରହିଥିବା ସତ୍ୟକୁ ଆଜି ପ୍ରତିଟି ଦେଶବାସୀ କରୁଛନ୍ତି ହୃଦୟଙ୍ଗମ । ଯେଉଁ କାଶ୍ମୀରରେ ହଜାର ବର୍ଷ ଧରି କାଶ୍ମୀର ପଣ୍ଡିତ ରହି ଆସୁଥିଲେ । ଯେଉଁ କାଶ୍ମୀର ଦିନେ କଶ୍ୟପ ଋଷିଙ୍କ ଭୂମି ରହିଥିଲା । ଯେଉଁଠି ନଦୀ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ମିଳନ ହୋଇ ପୃଥିବୀର ସ୍ବର୍ଗପୁରୀର ଆଖ୍ୟା ପାଇଛି ସେଠାରେ ହିଁ ୯୦ ଦଶକରେ ଜଳିଥିଲା ସାମୂହିକ ଚିତା । ଏହି ବର୍ବରତା କାଣ୍ଡକୁ ନା ଆଜି ଯାଏଁ କିଏ ଦେଖିଥିଲା ନା କିଏ ପ୍ରକୃତ ଘଟଣାକୁ ହୃଦୟଙ୍ଗମ କରିଥିଲେ । ଭିଟାମାଟି ଛାଡ଼ି ଏଣେତେଣେ ବୁଲୁଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ନେଇ ଆସିଛି ଏକ ଫିଲ୍ମ । ଯାହାର ନାମ ହେଉଛି ଦି କାଶ୍ମୀର ଫାଇଲ୍ସ (The Kashmir Files) । ଯାହାକୁ ଖୋଦ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ପ୍ରଶଂସା କରିଥିବା ବେଳେ ଫିଲ୍ମ ଦେଖିବା ପାଇଁ କର୍ମଚାରୀ, ପୋଲିସଙ୍କୁ ଦିଆଯାଉଛି ସ୍ବତନ୍ତ୍ର ଛୁଟି ।
ଏହି ଫିଲ୍ମଟି ଅନେକ ବର୍ଷ ପରେ ପୁଣି ସେହି ହୃଦୟବିଦାରକ ଘଟଣାକୁ ତାଜା କରିଛି । ଆତଙ୍କବାଦୀ ଓ କୂଟନୀତିଜ୍ଞଙ୍କ ଅତ୍ୟାଚାରରେ ଅନିଷ୍ଠ ହୋଇ ପ୍ରାୟ ୨୦ ହଜାର କାଶ୍ମୀର ପଣ୍ଡିତ ନିଜ ଭିଟାମାଟି ଛାଡ଼ିଥିଲେ । ଏହି ଘଟଣାରେ କାଶ୍ମୀରରେ ୧୦୫ ସ୍କୁଲ କଲେଜ ସମେତ ୧୦୩ ମନ୍ଦିରକୁ ଧ୍ବଂସ କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ ପ୍ରାୟ ୧୧୦୦ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା । ୧୯୪୭ ମସିହା ପର୍ଯ୍ୟନ୍ତ କାଶ୍ମୀରରେ ହିନ୍ଦୁଙ୍କ ସଂଖ୍ୟା ୧୫% ରହିଥିବା ବେଳେ ୧୯୮୧ ପର୍ଯ୍ୟନ୍ତ ଏହା ୫% ରହିଥିଲା । ଏହାପରେ ୨୦୦୧ରେ ଏହା ୨.୭୭% କୁ ହ୍ରାସ ପାଇଥିଲା ।
କେବଳ ଶ୍ରୀନଗରରେ ୨୦୦୧ ସୁଦ୍ଧା ହିନ୍ଦୁଙ୍କ ସଂଖ୍ୟା ୪ ପ୍ରତିଶତ ରହିଥିବା ବେଳେ ଏହା ୨୦୧୧କୁ ୨.୬% ରେ ପହଞ୍ଚିଥିଲା । ଏବେ କାଶ୍ମୀରରେ ମାତ୍ର ୮୦୮ କାଶ୍ମୀର ପରିବାର ରହୁଛନ୍ତି । କିନ୍ତୁ ପୂର୍ବରୁ ପ୍ରାୟ ସାଢେ ୩ ହଜାର କାଶ୍ମୀର ପଣ୍ଡିତ ଉପତ୍ୟକାରେ ରହୁଥିଲେ । କାଶ୍ମୀର ପଣ୍ଡିତଙ୍କ ହତ୍ୟାର କଳା ଫର୍ଦ୍ଦ ୧୯୯୦ ଜାନୁଆରୀ ୧୯ ତାରିଖରେ ନା ଯେ କେବଳ ଆରମ୍ଭ ହୋଇଥିଲା । ଏଭଳି ଘଟଣା ଅତ୍ୟାଚାରର ଚରମ ସୀମାରେ ପହଞ୍ଚିଥିଲା ।
- ୧୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା କ୍ରୁରତା
ଏହି ନିଷ୍ଠୁରତା ଦଶ ବର୍ଷ ପୂର୍ବେ 1980 ମସିହାରେ ଆରମ୍ଭ ହୋଇଥିଲା । 80 ଦଶକର ଶେଷ ଭାଗରେ ପାକିସ୍ତାନରେ ଆତଙ୍କବାଦୀ ତାଲିମ ଆରମ୍ଭ ହୋଇଥିଲା । ଉପତ୍ୟକାରେ ପ୍ରଥମେ ବନ୍ଧୁକ ଉଠାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ସୈୟଦ ସଲାହୁଦ୍ଦିନ ଏବଂ ୟାସିନ ମଲିକ ମଧ୍ୟ ରହିଥିଲେ । ପ୍ରଥମ ଥର ପାଇଁ କାଶ୍ମୀରର ଲୋକମାନେ ଧର୍ମ ନାମରେ ବିଭକ୍ତ ହେବାକୁ ଲାଗିଲେ। ସ୍ଥାନୀୟ ଲୋକଙ୍କ ମନରେ ବିଷ ଭରିବା ଆରମ୍ଭ ହୋଇଥିଲା। 1987 ବିଧାନସଭା ନିର୍ବାଚନରେ ଠକେଇ ଅଭିଯୋଗ ଆସିଲା । ଏହା ପରେ ବହୁ ସଂଖ୍ୟକ ଯୁବକ ଅସ୍ତ୍ର ଉଠାଇଲେ ଏବଂ ୯୦ ଦଶକର ରକ୍ତାକ୍ତ ଖେଳ କାଶ୍ମୀରରେ ଆରମ୍ଭ ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ଉପତ୍ୟକାକୁ ଲିଭିବାର ନାଁ ଧରୁନାହିଁ ।
ଏହି ଜିହାଦ (ଧର୍ମଯୁଦ୍ଧ) କାଶ୍ମୀର ପଣ୍ଡିତମାନଙ୍କୁ ଜୀବିତ ଅବସ୍ଥାରେ ନର୍କର ନିଆଁକୁ ଠେଲି ଦେଇଥିଲା । 1989 ମସିହାରେ କାଶ୍ମୀରରେ ଆତଙ୍କବାଦ ଯୁଗ ବିସ୍ତାର ହେବାକୁ ଲାଗିଲା । ହିଜବୁଲ ମୁଜାହିଦ୍ଦିନ ଏବଂ ଜେକେଏଲ୍ଏଫ୍ କାଶ୍ମୀରରେ ଜିହାଦ ଘୋଷଣା କରିଥିଲେ। ଏହା ପରେ ବୁଲେଟ ବର୍ଷା ମାଧ୍ୟମରେ ମୃତ୍ୟୁର ତାଣ୍ଡବ ଆରମ୍ଭ ହେଲା । ଉପତ୍ୟକାରେ କାଶ୍ମୀର ପଣ୍ଡିତମାନଙ୍କ ଖରାପ ଦିନର ପ୍ରଥମ ସଙ୍କେତ 14 ସେପ୍ଟେମ୍ବର 1989 ରେ ଆଗମନ ହୋଇଥିଲା । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା କାଶ୍ମୀର ପଣ୍ଡିତ ତିଲକ ଲାଲ ତପଲୁଙ୍କୁ ଜେ.କେ.ଏଲ.ଏଫ ହତ୍ୟା କରିଥିଲା । ଏହା ପରେ ଜଷ୍ଟିସ ନୀଳ କାନ୍ତ ଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଗଲା । ସେହି ସମୟର ଅଧିକାଂଶ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଥିଲା । ଆତଙ୍କବାଦୀମାନେ 300 ରୁ ଅଧିକ ହିନ୍ଦୁଙ୍କୁ ହତ୍ୟା କରିଥିଲେ ।
- ଜମାତ-ଏ-ଇସଲାମୀ
କାଶ୍ମୀର ପଣ୍ଡିତଙ୍କ ଉପରେ ଆରମ୍ଭ ହୋଇଥିବା ଏହି ଅତ୍ୟାଚାରରେ ସାମିଲ ଥିଲା ଜିହାଦି ସଂଗଠନ ଜମାତ-ଏ-ଇସଲାମୀ । ଏହି ସଂଗଠନ ୧୯୮୯ ମସିହାରେ ଇସଲାମିକ ଡ୍ରେସ କୋଡ଼ ଲାଗୁ କରିଥିଲା । ଏହା ପରେ ନାରା ଦିଆଗଲା ଯେ 'ହମ୍ ସବ୍ ଏକ୍, ତୁମ ଭାଗୋ ୟା ମରୋ' । ଏହାପରେ କାଶ୍ମୀର ପଣ୍ଡିତ ଉପତ୍ୟକା ଛାଡ଼ିବାକୁ ଲାଗିଲେ । କୋଟିପତି କାଶ୍ମୀର ପଣ୍ଡିତ ନିଜ ଭିଟାମାଟି ଛାଡ଼ି ଜୀବନ ବିକଳରେ ପଳାୟନ କଲେ । ଏଠାକାର ଉର୍ଦ୍ଦୁ ଖବରକାଗଜ ମଧ୍ୟ ପଣ୍ଡିତଙ୍କୁ ଚିନ୍ତାରେ ପକାଇଥିଲା । ହିଜବ-ଉଲ-ମୁଜାହିଦ୍ଦିନ ଲେଖିଥିଲେ ଯେ ସମସ୍ତ ହିନ୍ଦୁ 'ନିଜ ଜିନିଷପତ୍ର ବାନ୍ଧ ଆଉ କାଶ୍ମୀର ଛାଡ଼ି ଚାଲି ଯାଅ' ।
ଏହାପରେ କାଶ୍ମୀର ପଣ୍ଡିତଙ୍କ ଘର ଆଗରେ ନୋଟିସ ଲଗାଯାଉଥିଲା । ଏଥିରେ ଲେଖାଥିଲା ଯେ 'ମୁସଲିମ ଧର୍ମକୁ ଗ୍ରହଣ କର ନଚେତ କାଶ୍ମୀର ଛାଡ଼ି ଚାଲିଯାଅ' । ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ କାଶ୍ମୀର ମୁସଲମାନଙ୍କୁ ଟିଭିରେ ଭାରତରୁ ଅଲଗା ହେବାକୁ ଉତ୍ସାହିତ କରିଥିଲେ। କାଶ୍ମୀରର ପଣ୍ଡିତମାନେ ଗୋଟିଏ ରାତି ମଧ୍ୟରେ ସବୁକିଛି ଛାଡିବାକୁ ବାଧ୍ୟ ହୋଇଥିଲେ। କାଶ୍ମୀର ପଣ୍ଡିତଙ୍କ ପରିବାର ଆଜି ମଧ୍ୟ ସେହି କଳା ରାତି ଭୁଲିପାରିନାହାନ୍ତି । ବନ୍ଧୁକ ମୁନରେ ଧ୍ବଂସ ହୋଇଥିଲା କାଶ୍ମୀର ପଣ୍ଡିତଙ୍କ ବସ୍ତି ।
- ୭୦ ଅପରାଧୀଙ୍କୁ ଜେଲରୁ ହୋଇଥିଲେ ମୁକ୍ତ