ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୋନୁ ସୁଦଙ୍କ ମହାରାଷ୍ଟ୍ର ମୁମ୍ବାଇର ଜୁହୁସ୍ଥିତ ଘର ବେଆଇନ ଭାବେ ପରିବର୍ତ୍ତନ କରାଯାଇଥିବା ସମ୍ପର୍କରେ ଜାନୁଆରୀ 4 ତାରିଖରେ ଅଭିଯୋଗ ଆଣିଥିଲା ବିଏମସି ।
ଯାହା ବିରୋଧରେ ବିଏମସି ସୋନୁଙ୍କୁ ନୋଟିସ ପଠାଇଥିଲା । ସୋନୁ ବମ୍ବେ ହାଇକୋର୍ଟରେ ବିଏମସିର ନୋଟିସକୁ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ ।
ଏହା ପରେ ଅଭିନେତା ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୋନୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଏହା ଉପରେ ଶୁଣାଣି ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଗୋଟିଏ ଦିନ ପୂର୍ବରୁ ବମ୍ବେ ହାଇକୋର୍ଟରୁ ତାଙ୍କୁ ଆଶ୍ବସ୍ତି ମିଳିନଥିଲା ।
ପ୍ରକାଶ ଥାଉ ଯେ, ସୋନୁ ଜୁହୁର ଏବି ନାଇର ରୋଡରେ ଥିବା ଶକ୍ତିସାଗର ବିଲ୍ଡିଂକୁ ବିନା ଅନୁମତିରେ ଏକ ଆବାସିକ କୋଠାରେ ପରିଣତ କରିଥିବା ସମ୍ପର୍କରେ ଏହି ଅଭିଯୋଗରେ ଦର୍ଶାଯାଇଥିଲା ।
ଆବେଦନପତ୍ରରେ ଆଇନଜୀବୀ ଡି.ପି ସିଂଙ୍କ ମାଧ୍ୟମରେ ସୋନୁ କହିଥିଲେ ଯେ, ସେ କୌଣସି ବେଆଇନ ଛଅ ମହଲା ଶକ୍ତିସାଗର ବିଲ୍ଡିଂ କରି ନାହାଁନ୍ତି କିମ୍ବା ଅନାଧିକୃତ ନିର୍ମାଣ କାର୍ଯ୍ୟ ହୋଇନାହିଁ ।