ମୁମ୍ବାଇ:ଗୁରୁବାର ବିଗ ବସ ଫେମ ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ଦୀପ ଲିଭିଯାଇଛି ସତ, କିନ୍ତୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ମାନୁନି ମନ । ଏଭଳି ଦୁଃଖଦ ଖବର ଶୁଣିବା ପରେ ସ୍ତବ୍ଧ ହୋଇଯାଇଛି ଟେଲିଭିଜନ ଜଗତଠାରୁ ଆରମ୍ଭ କରି ସିଦ୍ଧାର୍ଥଙ୍କ ରିଅଲ ଓ ରିଲ ଫ୍ୟାମିଲି । ସିଡ଼୍ଙ୍କ ଆତ୍ମା ଗତକାଲିଠୁ ବିଦାୟ ନେଇସାରିଥିବା ବେଳେ ଆଜି ସମସ୍ତଙ୍କଠୁ ବିଦାୟ ନେବାକୁ ଯାଉଛି ତାଙ୍କ ପାର୍ଥିବ ଶରୀର । ଆଜି(ଶୁକ୍ରବାର) ଅପରାହ୍ନ ୨ଟାରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ହେବାକୁ ଯାଉଛି । ମୁମ୍ବାଇର ଓଶିୱାରା ଶ୍ମଶାନଘାଟରେ ବ୍ରହ୍ମାକୁମାରୀ ସମାଜର ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯିବ ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କୁପର ହସ୍ପିଟାଲରୁ ସିଦ୍ଧାର୍ଥଙ୍କ ପାର୍ଥୀବ ଶରୀରକୁ ତାଙ୍କ ବାସଗୃହକୁ ନିଆଯାଇଥିଲା । ସିଦ୍ଧାର୍ଥଙ୍କ ଘରେ ସହ କଳାକାର ଅର୍ଜୁନ ବିଜଲାନୀଙ୍କ ସମେତ ଆସିମ ରିଆଜଙ୍କ ସମେତ ଅନ୍ୟ କଳାକାର ଥିବା ଜଣାପଡ଼ିଛି । ବ୍ରହ୍ମକୁମାରୀ ରୀତିନୀତି ଅନୁଯାୟୀ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ଆମ୍ବୁଲାନ୍ସକୁ ଫୁଲରେ ସଜା ହେବା ପରେ ତାଙ୍କ ବାସଗୃହକୁ ପାର୍ଥୀବ ଶରୀରକୁ ନିଆଯାଇଥିଲା । ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ଘରେ ଅନେକ କଳାକାର ପହଞ୍ଚି ସାରିଛନ୍ତି । ଅଲିଗୋନିଙ୍କଠାରୁ ଆରମ୍ଭ କରି ରଶ୍ମି ଦେଶାଇ, ଆରତୀ ସିଂ, ରାହୁଲ ମହାଜନ, ରାକ୍ଷୀ ସାୱନ୍ତ ଓ ଅନେକ କଳାକାର ତାଙ୍କ ଘରେ ଉପସ୍ଥିତ ଅଛନ୍ତି ।
ସିଦ୍ଧାର୍ଥଙ୍କ ବ୍ୟବଚ୍ଛେଦ ରିପୋର୍ଟ ମୁମ୍ବାଇ ପୋଲିସ ନିକଟରେ ରହିଛି । ସିଦ୍ଧାର୍ଥଙ୍କ ଶରୀରରେ ଆଘାତର କୌଣସି ଦାଗ ନଥିବା ଜଣାପଡ଼ିଛି । ମୁମ୍ବାଇର କୁପର ହସ୍ପିଟାଲରେ ୩ ଘଣ୍ଟା ଧରି ସିଦ୍ଧାର୍ଥଙ୍କ ବ୍ୟବଚ୍ଛେଦ କରାଯାଇଥିଲା । ସିଦ୍ଧାର୍ଥଙ୍କ ଘର ନିକଟରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । କୋରୋନା ମହାମାରୀକୁ ନଜରରେ ରଖି ପୋଲିସ ଭିଡକୁ ଏଡାଇବା ପାଇଁ ମଧ୍ୟ ପ୍ରୟାସ କରୁଛି ।