ମୁମ୍ବାଇ:ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ କୁନ୍ଦ୍ରା ପରିବାରର ପିଛା ଛାଡ଼ୁନି ବିବାଦ । ଏବେ କୁନ୍ଦ୍ରା ଦମ୍ପତିଙ୍କ ବିରୋଧରେ ୧.୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ନୀତିନ ବରାଇ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଥିବା ବେଲେ ଶିଳ୍ପା ସୋସିଆଲ ମିଡ଼ିଆ ଜରିଆରେ ଏହା ଉପରେ ରଖିଛନ୍ତି ପ୍ରତିକ୍ରିୟା । ଏହି ଖବର ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା ବେଳେ ତାଙ୍କ ନାମକୁ ସହଜରେ ବିବାଦ ଘେରକୁ ନିଆଯାଉଛି ବୋଲି ସେ କହିଛନ୍ତି ।
ଶିଳ୍ପା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, "ମୁଁ ଆଜି ସକାଳୁ ଉଠିବା ପରେ ଜାଣିବାକୁ ପାଇଲି ଯେ ମୋର ଓ ରାଜଙ୍କ ବିରୋଧରେ ମାମଲା ଦାଏର କରାଯାଇଛି । ଏହି ଖବର ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛି । SFL ଫିଟନେସକୁ କାଶିଫ ଖାନ ପରିଚାଳନା କରନ୍ତି । ଏହି ବ୍ରାଣ୍ଡ ନାମରେ ସେ ସାରା ଦେଶରେ ଫିଟନେସ ଜିମ ଖୋଲିବାକୁ ଅଧିକାର ପାଇଥିଲେ । ପ୍ରତ୍ୟେକ ଚୁକ୍ତିରେ ସେ ମଞ୍ଜୁରୀ ଦେଉଥିଲେ । ଏହାସହିତ ତାଙ୍କ ନିକଟରେ ଦୈନିକ ଗତିବିଧିର ସୂଚନା ଥିଲା । ତେବେ କୌଣସି ବ୍ୟାଙ୍କ ଟ୍ରାନ୍ଜାକ୍ସନ ସମ୍ପର୍କରେ ଆମେ ଜାଣିନାହୁଁ କିମ୍ବା ତାଙ୍କଠୁ ଆମେ କୌଣସି ଟଙ୍କା ନେଇ ନାହୁଁ । "