ହାଇଦ୍ରାବାଦ: 'ତୁ ମେରା ହେ ଔର....' । ଗୁଜବ ବଏଫ୍ରେଣ୍ଡ ତଥା ଲୋକପ୍ରିୟ ଟେଲିଭିଜନ ଆକ୍ଟର ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁର ୨ ମାସ ପରେ ଏପରି କିଛି ପୋଷ୍ଟ କରି ମୌନ ଭଙ୍ଗ କରିଛନ୍ତି ସେହନାଜ ଗିଲ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏହା ସେହନାଜଙ୍କ ପ୍ରଥମ ପୋଷ୍ଟ । ଆଉ ଏହାକୁ ଦେଖି ନିଜ ଆଖିର ଲୁହକୁ ଅଟକାଇ ପାରିନାହାନ୍ତି ସିଡନାଜ୍ ଫ୍ୟାନ୍ସ ।
ସେହନାଜ ଏକ ଆଲବମ ସଙ୍ଗ୍ର ପୋଷ୍ଟର ମାଧ୍ୟମରେ ସିଦ୍ଧାର୍ଥଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ଏହି ଗୀତଟି ଆସନ୍ତାକାଲି(ଶୁକ୍ରବାର) ମଧ୍ୟାହ୍ନ ୧୨ଟାରେ ରିଲିଜ ହେବାକୁ ଯାଉଛି । ଯାହାର ଟାଇଟଲ ରହିଛି 'ତୁ ୟହିଁ ହେ' । ଏହି ସଙ୍ଗ୍ର ପୋଷ୍ଟର ସେୟାର କରି ସେହନାଜ କ୍ୟାପସନରେ ଲେଖିଛନ୍ତି ଯେ 'ତୁ ମେରା ହେ ଔର...' । ବିଗବସ-୧୩ ରେ ସେହନାଜଙ୍କ ଏହି ଡାଇଲଗଟି ବହୁତ ଫେମସ ହୋଇଥିବା ବେଳେ ଫ୍ୟାନ୍ସ ଖୁବ ପସନ୍ଦ କରିଥିଲେ । ପୋଷ୍ଟରେ ବିଗବସର ଉଭୟଙ୍କ ଏକ ଫଟୋକୁ ରଖାଯାଇଛି । ଯେଉଁଥିରେ ସେହନାଜ ଓ ସିଦ୍ଧାର୍ଥ ଖୁବ ଜୋରରେ ହସୁଥିବା ଦେଖିବାକୁ ମିଳିଛି ।
ସେହନାଜଙ୍କ ଏହି ପୋଷ୍ଟ ପରେ କମେଣ୍ଟ ସେକ୍ସନରେ ଫ୍ୟାନ୍ସଙ୍କ ଅନେକ କମେଣ୍ଟ ଦେଖିବାକୁ ମିଳିଛି । ଫ୍ୟାନ୍ସମାନେ ସେହନାଜଙ୍କୁ ଆଶ୍ବାସନା ଦେବା ସହ ଦୃଢ ରହିବାକୁ ଦେଇଛନ୍ତି ପରାମର୍ଶ । ଏହାସହିତ ସିଡନାଜ୍ଙ୍କ ଶେଷ ଥର ପାଇଁ ଗୀତ ମାଧ୍ୟମରେ ଏକାଠି ଦେଖିବାକୁ ବେଶ ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ । ଅନ୍ୟପଟେ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସେହନାଜ । ପୂର୍ବରୁ ମଧ୍ୟ ବିଗବସ-୧୩ ପାଇଁ ଏହି ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ପୂର୍ବରୁ ଉଭୟଙ୍କୁ 'ସୋନା ସୋନା' ସଙ୍ଗ୍ରେ ଏକାଠି ଦେଖିବାକୁ ମିଳିଥିଲା ଏବଂ ଏହି ଗୀତକୁ ଫ୍ୟାନ୍ସ ଖୁବ ପସନ୍ଦ କରିଥିଲେ ।
ତେବେ ସୂଚନା ଥାଉ କି ସିଦ୍ଧାର୍ଥ ମୃତ୍ୟୁ ପୂର୍ବରୁ ସେହନାଜଙ୍କ ସହିତ ଏକ ମ୍ୟୁଜିକ ଭିଡ଼ିଓର ସୁଟିଂ କରୁଥିଲେ । ମାତ୍ର ସମ୍ପୂର୍ଣ୍ଣ ସୁଟିଂ ଶେଷ ହେବା ପୂର୍ବରୁ ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ଘଟିଥିଲା । ଏହାପରେ ଫ୍ୟାନ୍ସଙ୍କ ଅନୁରୋଧ କ୍ରମେ ମେକର୍ସ ଏହି ଗୀତଟିକୁ ରିଲିଜ କରିଥିଲେ, ଯାହାର ଟାଇଟଲ ରଖାଯାଇଛି 'ଅଧୁରା' । ଏହି ଗୀତ ମାଧ୍ୟମରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତେବେ ଏହି ଗୀତକୁ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷଲଙ୍କ ସହିତ Arko ଗାଇଛନ୍ତି । ଏହି ଗୀତର ପୋଷ୍ଟରରେ ଲେଖାଯାଇଛି 'ଏକ୍ ଅଧୁରା ଗାନା, ଏକ୍ ଅଧୁରି କାହାନୀ....ଏ ସିଡନାଜ୍ ସଙ୍ଗ୍' ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ