ମୁମ୍ବାଇ: ଫେମସ ସଙ୍ଗୀତକାର ଓ ଗାୟକ ସଲିମ ମର୍ଚେଣ୍ଟ ବଲିଉଡର ଲୋକପ୍ରିୟ ପ୍ରଡକ୍ସନ ହାଉସ ୟଶ ରାଜ ଫିଲ୍ମସ(ୱାଇଆରଏଫ) ଉପରେ ଆଶ୍ଚର୍ଯ୍ୟକର ଅଭିଯୋଗ ଆଣିଛନ୍ତି । ଗୁରୁବାର ଏକ ସାକ୍ଷାତକାରରେ ସେ କହିଥିଲେ ଯେ ୱାଇଆରଏଫ ତାଙ୍କ ଗୀତର ପାରିଶ୍ରମିକ ଏଯାବତ ଦେଇନାହିଁ । ଏହି କାରଣ ପାଇଁ ସେ ଗତ ଚାରି ବର୍ଷ ହେବ ଏହି ପ୍ରଡକ୍ସନ ହାଉସ ସହ କୌଣସି କାମ କରିନାହାଁନ୍ତି ।
ସେ ନିଜ ବୟାନରେ କହିଛନ୍ତି ଯେ ୟଶ ରାଜ ଫିଲ୍ମସ ସଙ୍ଗୀତକାର ଏବଂ ଗୀତିକାର ନାମରେ ଖୁବ୍ ରୟାଲ୍ଟି ଆୟ କରୁଛି । କିନ୍ତୁ ଏହି ରୟାଲ୍ଟିରୁ ପ୍ରଡକ୍ସନ ହାଉସ କାହାକୁ ଲାଭ ଦେଇଛି କି ନାହିଁ ସେ ତାହା ମଧ୍ୟ ଜାଣିନାହାଁନ୍ତି । ତାଙ୍କୁ ଓ ସୁଲେମାନଙ୍କୁ କୌଣସି ରୟାଲ୍ଟି ଟଙ୍କା ମିଳିନାହିଁ । ଖାଲି ଏତିକି ନୁହେଁ ସଲିମ ୟଶ ରାଜ ପ୍ରଡକ୍ସନ ବ୍ୟତୀତ ଟି-ସିରିଜ କମ୍ପାନୀ ଉପରେ ମଧ୍ୟ ଅଭିଯୋଗ ଲଗାଇଛନ୍ତି ।
ପ୍ରକାଶ ଥାଉକି ସଙ୍ଗୀତକାର, ଗୀତିକାରଙ୍କ ଅଧିକାର ପାଇଁ କାମ କରୁଥିବା ସଂସ୍ଥା ଇଣ୍ଡିଆନ ପରଫର୍ମିଂ ଆଟର୍ସ ସୋସାଇଟି(ଆଇପିଆରଏସ) ନଭେମ୍ବର 20ରେ ୱାଇଆରଏଫ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଏଥିରେ ପ୍ରଡକ୍ସନ ହାଉସ ଉପରେ ଅଭିଯୋଗ ଲଗାଯାଇଛି ଯେ 100 କୋଟି ଟଙ୍କାରୁ ଅଧିକ ମ୍ୟୁଜିକ ରୟାଲ୍ଟି ଏକତ୍ର କରିଥିବା ସତ୍ତ୍ବେ ଆଇପିଆରଏସ ସହ ସମ୍ପୃକ୍ତ ସଦସ୍ୟଙ୍କୁ କୌଣସି ପାରିଶ୍ରମିକ ମିଳିନାହିଁ । କଥିତ ରୂପେ ୱାଇଆରଏଫ ଚାପ ପକାଇ ଆଇପିଆରଏସର ସଦସ୍ୟଙ୍କୁ ରୟାଲ୍ଟି ଜମା କରିବାକୁ ରୋକିଛି ।
ଏହାସହ ସଲିମ ଦାବି କରିଛନ୍ତି ଯେ ଆଇପିଆରଏସ ଚେୟାରପର୍ସନ ଏବଂ ସଙ୍ଗୀତକାର ଜାଭେଦ ଅଖତରଙ୍କୁ ମଧ୍ୟ କୌଣସି ରାଶି ପ୍ରଡକ୍ସନ ହାଉସ ତରଫରୁ ମିଳିନାହିଁ । ସଲିମ-ସୁଲେମାନ ଯୋଡି ୱାଇଆରଏଫ ପାଇଁ ‘ରବ ନେ ବନା ଦି ଯୋଡି’, ‘ମର୍ଦାନୀ’, ‘ଲେଡିଜ ଭର୍ସେସ ରିକ୍କି ବହଲ’, ‘ଆଜା ନଚ ଲେ’, ‘ବ୍ୟାଣ୍ଡ ବାଜା ବାରାତ’ ଏବଂ ‘ଚକ ଦେ ଇଣ୍ଡିଆ’ ସମେତ ଅନେକ ଫିଲ୍ମରେ ସଙ୍ଗୀତ ଦେଇଥିଲେ ।