ମୁମ୍ବାଇ:ଆଡ଼ଲ୍ଟ କମେଡ଼ି ଫିଲ୍ମ 'ଛତରୀୱାଲି'ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ରାକୁଲ ପ୍ରୀତ ସିଂ । ପୂର୍ବରୁ ଦର୍ଶକ ଦେଖିନଥିବା ଏକ ନିଆରା ଚରିତ୍ର ରନ୍ନି ସ୍କ୍ରିଉବାଲାରେ ସେ ନଜର ଆସିବେ । ତେବେ ଏହି ଫିଲ୍ମରେ ରକୁଲଙ୍କ ପ୍ରଥମ ଲୁକ୍କୁ ରିଲିଜ କରାଯାଇଥିବା ବେଳେ ଏହା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଫିଲ୍ମଟି ଏକ ସାମାଜିକ ପାରିବାରିକ କମେଡ଼ି ଫିଲ୍ମ । ଏହି ଫିଲ୍ମରେ ହରିୟାଣାର ଛୋଟ ସହର କରନାଲର ଜଣେ ବେରୋଜଗାର ମହିଳାଙ୍କ କାହାଣୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଯିଏକି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ ମଧ୍ୟ ବେରୋଜଗାର ରହିଛନ୍ତି । ଚାକିରି ନ ମିଳିବାରୁ ସେ ଜଣେ ନିରୋଧକ ଟେଷ୍ଟର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।
ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ତେଜସ୍ୟ ବିଜୟ ଦେବସ୍କର କହିଛନ୍ତି ଯେ ଫିଲ୍ମଟି ଏକ ସାମାଜିକ ପାରିବାରିକ ମନୋରଞ୍ଜନ ଫିଲ୍ମ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ନିରୋଧକର ବ୍ୟବହାରକୁ ନେଇ ରହିଥିବା ନକରାତ୍ମକତାକୁ ହଟାଇବା । ତେବେ ଫିଲ୍ମର ପ୍ରଥମ ଲୁକ୍ ରିଲିଜ ହେବା ପରେ ଏହାକୁ ନେଇ ଦର୍ଶକ ଖୁବ ଉତ୍ସାହିତ ରହିଛନ୍ତି ।