ହାଇଦ୍ରାବାଦ: ନେମ୍, ଫେମ୍ ଏବଂ ଗ୍ଲାମର ପାଇଁ ଜଣାଶୁଣା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଫ୍ୟାଶନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଫ୍ୟାଶନର ବଢୁଥିବା କ୍ରେଜ୍ ମଧ୍ୟରେ, ଗ୍ଲାମର ଦୁନିଆରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ସେମାନଙ୍କର ଅତରଙ୍ଗି ଷ୍ଟାଇଲ୍ ପାଇଁ ଜଣାଶୁଣା । ରଣବୀର ସିଂଙ୍କ ଠାରୁ ଉର୍ଫି ଜାଭେଦ ପର୍ଯ୍ୟନ୍ତ ସେ ତାଙ୍କର ଅଜବ ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାନ୍ତି । ଏହି ସମୟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ମଧ୍ୟ ଏହିପରି ଏକ ଫ୍ୟାଶନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ରାଜ କୁନ୍ଦ୍ରା କଳା ଜ୍ୟାକେଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ରାଜ ମଧ୍ୟ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । କିନ୍ତୁ ଖାସ କଥାଟି ହେଲା, ସେ ଏହି ଜ୍ୟାକେଟରେ ନିଜର ପୂରା ଚେହେରାକୁ ଘୋଡାଇ ରଖିଛନ୍ତି, ଯେଉଁଥିପାଇଁ ତାଙ୍କ ଚେହେରାକୁ କେହି ଦେଖିପାରିନଥିଲେ । ଭିଡିଓରେ ତାଙ୍କୁ ରାଜ କୁନ୍ଦ୍ରା ବୋଲି ଚିହ୍ନିବା କଷ୍ଟକର । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଉଛି ।