ମୁମ୍ବାଇ: ବଲିଉଡର ଫିଟନେସ ଆଇକନ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରି ରିମାଣ୍ଡକୁ ନେଇଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ । ଅଶ୍ଳୀଳ ଫିଲ୍ମ ସୁଟ କରି ଏହାକୁ ପ୍ରସାରରଣ କରିବା ନେଇ କୁନ୍ଦ୍ରାଙ୍କ ଉପରେ ରହିଛି ସଙ୍ଗୀନ ଅଭିଯୋଗ । ଏପଟେ ସ୍ବାମୀଙ୍କ ଗିରଫଦାରୀ ପରେ ସ୍ତ୍ରୀ ଶିଳ୍ପାଙ୍କ ନିରବତାକୁ ନେଇ ଘନଉଛି ସସପେନ୍ସ ।
ସ୍ବାମୀ ରାଜଙ୍କ ବିଜନେସ ସହିତ ଜଡିତ ଥିଲେ ଶିଳ୍ପା । ଏନେଇ ସ୍ବାମୀ କୁନ୍ଦ୍ରାଙ୍କ କଳାକାରନାମା ସମ୍ପର୍କରେ ତାଙ୍କୁ ସବୁକିଛି ଜଣାଥାଇପାରେ ବୋଲି ଚର୍ଚ୍ଚା ହେଉଛି । ପର୍ଣ୍ଣୋଗ୍ରାଫି ବିଜନେସରେ ସାଥ ଦେଉଥିଲେ କି ଶିଳ୍ପା ? ଜଣାଥିଲା କି ତାଙ୍କୁ ସ୍ବାମୀଙ୍କ ରାଜ ? ତେବେ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି କେଳେଙ୍କାରୀର କଳାଫର୍ଦ୍ଦ ଲେଉଟୁଥିବାବେଳେ ଏଥିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭୂମିକାକୁ ନେଇ ଉଠିବାରେ ଲାଗିଛି ତମାମ ପ୍ରଶ୍ନ ।
ବର୍ତ୍ତମାନସୁଦ୍ଧା ହୋଇଥିବା ତଦନ୍ତରୁ ପର୍ଣ୍ଣୋଗ୍ରାଫି ମାମଲାରେ ରାଜଙ୍କୁ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ ନଜରରେ ଦେଖୁଛି କ୍ରାଇମବ୍ରାଞ୍ଚ । ଏବେ ସେ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି । ରାଜଙ୍କ ଗିରଫଦାରୀ ପରେ ସ୍ତ୍ରୀ ଶିଳ୍ପା ସେଟ୍ଟୀଙ୍କ ଉପରେ ଉଠୁଥିବା ପ୍ରଶ୍ନକୁ ନେଇ ବୟାନ ଦେଇଛି ପୋଲିସ ।
ପର୍ଣ୍ଣୋଗ୍ରାଫି ମାମଲାରେ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର କୌଣସୀ ସକ୍ରିୟ ଭୂମିକା ନଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ମୁମ୍ବାଇ ପୋଲିସ । ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କର କୌଣସି ଭୂମିକା ରହିଥିବା ବର୍ତ୍ତମାନସୁଦ୍ଧା ତଦନ୍ତରୁ ସ୍ପଷ୍ଟ ହୋଇନଥିବା ନିଜ ବୟାନରେ କହିଛନ୍ତି ମୁମ୍ବାଇ ପୋଲିସ କମିଶନର ମିଲିନ୍ଦ ଭାରମ୍ବେ । ଏବେସୁଦ୍ଧ ତଦନ୍ତ ଚାଲିଛି । ତେବେ ପୀଡିତାଙ୍କୁ ସାମ୍ନାକୁ ଆଣି ଏହି ମାମଲାରେ ମୁମ୍ବାଇ ପୋଲିସ ସହ ସମ୍ପର୍କ କରିବାକୁ ଅପିଲ କରିଛନ୍ତି କମିଶନର ।
ଯଦିଓ ପର୍ଣ୍ଣୋଗ୍ରାଫି ମାମଲାରେ ପୋଲିସ ଶିଳ୍ପାଙ୍କ ଉପରେ କୌଣସି ପ୍ରଶ୍ନ ଉଠାଇନାହିଁ, ତଥାପି ଏହି ମାମଲାରେ ଶିଳ୍ପାଙ୍କ ଜଡିତ ହେବା ନେଇ ମଡେଲ ସାଗରିକା ସୋନା ସୁମନଙ୍କ ଦାବି ଅଭିନେତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିଛି । ସାଗରିକା ହେଉଛନ୍ତି ସେହି ମଡେଲ, ଯିଏ ଏହି ମାମଲାରେ ପୂର୍ବରୁ ମଧ୍ୟ ରାଜଙ୍କ ଲିଙ୍କ୍ ରହିଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ । ତେବେ ରାଜଙ୍କ ଗିରଫଦାରୀ ପରେ ସେ ଦାବି କରିଛନ୍ତି, ଏହି ମାମଲାରେ ଶିଳ୍ପାଙ୍କୁ ସବୁକିଛି ଜଣାଅଛି । ଶିଳ୍ପା ରାଜ କୁନ୍ଦ୍ରାଙ୍କ କମ୍ପାନୀର ନିର୍ଦ୍ଦେଶକ ପଦରେ ରହିଛନ୍ତି ।
ଏପଟେ ତଦନ୍ତରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର କହିଛନ୍ତି। କିଛି ଲୋକ ଜବରଦସ୍ତ ଏଭଳି ଚଳଚ୍ଚିତ୍ର ନିର୍ମାଣ କରନ୍ତି । ଉମେଶ କାମତ ନାଁରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା, ଯିଏକି ଭାରତରେ କୁନ୍ଦ୍ରାଙ୍କ କମ୍ପାନୀର ବିଜନେସକୁ ଦେଖାରଖା କରନ୍ତି ।