ମୁମ୍ବାଇ: କିଛି ଦିନ ମଧ୍ୟରେ ଲୋକପ୍ରିୟ ଗାୟକ ମିକା ସିଂଙ୍କ ଦୁଇଟି ମ୍ୟୁଜିକ ଆଲବମ ରିଲିଜ ହୋଇସାରିଛି । ଶେଫାଳୀ ଜରିୱାଲାଙ୍କ ସହ ତାଙ୍କ ରୋମାଣ୍ଟିକ ସଙ୍ଗ ‘ହୋଣ୍ଟୋ ପେ ବସ୍’ ଚହଳ ସୃଷ୍ଟି କରିଥିବା ବେଳେ ନିକଟରେ ରିଲିଜ ହୋଇଥିବା ‘ରୂପ ତେରା ମସ୍ତାନା’ ଫ୍ୟାନ୍ସଙ୍କ ମନ କିଣିଥିଲେ । ହେଲେ ଏବେ ଶୁଣିବାକୁ ମିଳୁଛି ଯେ ପୁଣି ଫିଲ୍ମ ଦୁନିଆକୁ କମବ୍ୟାକ କରୁଛନ୍ତି । ଖୁବଶୀଘ୍ର ଫିଲ୍ମ ‘ସାୟୋନି’ରେ ଶୁଣିବାକୁ ମିଳିବ ତାଙ୍କ ନୂଆ ଗୀତ ‘ଏକ ପପି’ । ସେପଟେ ଦୀର୍ଘ 8 ମାସ ପରେ କାମକୁ ଫେରିବା ଅନୁଭୂତି ମିକା ସେୟାର କରିଛନ୍ତି ।
ଆଉ କହିଛନ୍ତି, ‘ମୁଁ ପ୍ରକୃତରେ ଉତ୍ସାହିତ ଏବଂ ଡିସେମ୍ବର 18ରେ ଏହି ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିଛି | ଲକଡାଉନ ମାସ ମଧ୍ୟରେ ଘରେ ବସି ବସି ଅନେକ ଲୋକ ବିରକ୍ତ ହୋଇଛନ୍ତି । ଗତ ଆଠ ମାସରୁ ମୋ ପାଖରେ କୌଣସି କାମ ନଥିଲା ଏବଂ ମୁଁ ନିଶ୍ଚିତ ଯେ ମୋ ପରି ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କାମ ନଥିଲା । ଦର୍ଶକ ଦୀର୍ଘ ଦିନ ଧରି ସିନେମାହଲରେ ଫିଲ୍ମ ଦେଖିନାହାଁନ୍ତି । ତେଣୁ ମୋ ଅନୁଯାୟୀ 18 ଡିସେମ୍ବରରେ ଏହି ଫିଲ୍ମ ଦେଖିବା ପାଇଁ ଥିୟଟରକୁ ଯିବା ଏକ ଉପଯୁକ୍ତ ସମୟ ।’