ମୁମ୍ବାଇ: ନିକଟରେ ଲୋକପ୍ରିୟ ସଙ୍ଗୀତକାର ଏଆର ରେହମାନ ଦାବି କରିଥିଲେ ଯେ ବଲିଉଡରେ ଏମିତି ଏକ ଗ୍ୟାଙ୍ଗ ଅଛି, ଯାହା ପାଇଁ ତାଙ୍କୁ କାମ ମିଳୁବାରେ ଆସୁବିଧା ହେଉଛି । ତାଙ୍କ ଏପରି ବୟାନରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏବେ ତାଙ୍କ ନୂଆ ଟ୍ବିଟରେ ସେ ଭିନ୍ନ କାହାଣୀ କହି ପୁଣିଥରେ ସମସ୍ତଙ୍କୁ ଚକିତ କରିଛନ୍ତି।
ପୂର୍ବରୁ ଦେଇଥିବା ତାଙ୍କ ବୟାନର ସମର୍ଥନ କରିଥିଲେ ଫେମସ ନିର୍ଦ୍ଦେଶକ ଶେଖର କପୁର । ହେଲେ ସୋସିଆଲ ମିଡିଆରେ ଏହି ମାମଲା ବଢୁଥିବାର ଦେଖି ରେହମାନ ଟ୍ବିଟ କରି ଭିନ୍ନ କଥା କହିଛନ୍ତି ।
କଥାଟି ହେଲା ଯେ ଗ୍ୟାଙ୍ଗବାଜି ଟିପ୍ପଣୀ ଏମିତି ସମୟରେ ସାମ୍ନାକୁ ଆସିଛି ଯେବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ବଲିଉଡକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବଲିଉଡରେ ପରିବାରବାଦ, ଇନସାଉଡର-ଆଉଟସାଉଡର, ମାଫିଆଗିରି ଭଳି ଅଭିଯୋଗ ଲାଉଛନ୍ତି ଅନେକ ଲୋକ । ସେହିପରି ରେହମାନ ଗ୍ୟାଙ୍ଗବାଜି କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଯାହାପରେ ଗ୍ୟାଙ୍ଗବାଜି ପ୍ରସଙ୍ଗ ମଧ୍ୟ ଆରମ୍ଭ କରିଦେଇଛନ୍ତି ଲୋକେ ।
ଶେଖରଙ୍କ ଟ୍ବିଟକୁ ରିଟ୍ବିଟ କରି ରେହମାନ ଲେଖିଛନ୍ତି, ‘ହଜିଯାଇଥିବା ଟଙ୍କା ଫେରିଆସିବ । ସଫଳତା ଫେରିପାରିବ । ହେଲେ ଜୀବନର ମହତ୍ବପୂର୍ଣ୍ଣ ସମୟ କେବେ ଫେରେନାହିଁ । ଶାନ୍ତି । ତେବେ ଏହା ଆଗକୁ ବଢାଇବାର ସମୟ । ଆମ ପାଖରେ କରିବା ପାଇଁ ବହୁତ ଜିନିଷ ଅଛି ।’