ମୁମ୍ବାଇ: ଯେଉଁଠାରେ ବିବାଦ ସେହିଠାରେ ସବୁବେଳେ ରୁହନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ । କିଛି ମାସରୁ ତାଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ତଥାପି ସେ କେଉଁ ଚୁପ ବସିବା ଝିଅ । କିଛି ନା କିଛି କହି ସେ ବିବାଦରେ ରହୁଛନ୍ତି । ଏବେ ପୁଣି ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ । ସେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସୋସିଆଲ ମିଡିଆରେ ସେ ଦେଶର ପିତା ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହରୁଙ୍କ ସମାଲୋଚନା ମଧ୍ୟ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପ୍ରଥମ ଟ୍ବିଟରେ ସେ କହିଛନ୍ତି, ‘ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ଜୟନ୍ତୀଙ୍କୁ ମନେ ପକାଉଛି । ଆପଣ ଜଣେ ଏମିତି ବ୍ୟକ୍ତି ଥିଲେ, ଯିଏ ଆମକୁ ଆଜିର ଭାରତ ଦେଇଥିଲେ । ହେଲେ ଆପଣ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରି ମହାନ ନେତୃତ୍ବ ଓ ଦୂରଦର୍ଶିତାକୁ ଆମଠୁ ଦୂର ଦେଇଥିଲେ। ଆପଣଙ୍କ ଏହି ନିଷ୍ପତ୍ତି ଉପରେ ଆମେ ଦୁଃଖି ।’
ସେହିପରି ସେ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଗାନ୍ଧୀଙ୍କୁ ଖୁସି କରିବା ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ନିଜର ସବୁଠାରୁ ବଡ ଯୋଗଦାନ ଓ ନିର୍ବାଚିତ ପଦକୁ ବଳିଦାନ ଦେଇଥିଲେ । କାରଣ ଗାନ୍ଧୀଙ୍କୁ ଲାଗୁଥିଲା ନେହରୁ ଭଲ ଇଂରାଜୀ କହୁଛନ୍ତି । ଯାହାଦ୍ବାରା କେବଳ ସର୍ଦ୍ଦାର ପଟେଲଙ୍କୁ ନୁହେଁ ବରଂ ଦେଶକୁ ଅନେକ ବର୍ଷ ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିଥିଲା । ଆମେ ଲଜ୍ୟାହୀନ ହୋଇ ସେହି ଜିନିଷକୁ ଛଡାଇ ନେବା ଦରକାର ଯାହା ଉପରେ ଆମର ଅଧିକାର ଅଛି । ସେ ହେଉଛନ୍ତି ଭାରତର ପ୍ରକୃତ ଲୌହ ମଣିଷ। ମୁଁ ବିଶ୍ବାସ କରେ ଯେ ନେହେରୁଙ୍କ ପରି ଗାନ୍ଧୀ ଏକ ଦୁର୍ବଳ ମନା ଲୋକ ଚାହୁଁଥିଲେ । ଯାହା ଦ୍ବାରା ସେ ସେମାନଙ୍କୁ ନିୟନ୍ତ୍ରଣରେ ରଖିପାରିବେ ଏବଂ ନେହେରୁଙ୍କୁ ଆଗକୁ ନେଇ ସମସ୍ତ ନିଷ୍ପତ୍ତି ନେଇପାରିବେ। ଏହା ଏକ ଭଲ ଯୋଜନା ଥିଲା, କିନ୍ତୁ ଗାନ୍ଧୀଙ୍କ ମୃତ୍ୟୁ ପରେ ଯାହା ଘଟିଥିଲା ତାହା ଏକ ବଡ ବିପର୍ଯ୍ୟୟ ସହ ସମାନ ଥିଲା ।’
ବର୍ତ୍ତମାନ କଙ୍ଗନାଙ୍କ ଏହି ସବୁ ଟ୍ବିଟ ଦେଖି ପୁଣି ତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ୟୁଜର୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ