ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ମାତ୍ର 21 ବର୍ଷ ବୟସରେ ନିଜଠୁ 13 ବର୍ଷ ବଡ ଅଭିନେତ୍ରୀ ଅମୃତା ସିଂଙ୍କ ସହ ବିବାହ କରିଥିଲେ । ବଲିଉଡ ସୁନ୍ଦରୀ ଅଭିନେତ୍ରୀରେ ଗଣାଯାଉଥିବା ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ ଏବେ ସମସ୍ତଙ୍କ ଫେଭରେଟ ଅଭିନେତ୍ରୀ ସାଜିଛନ୍ତି। ଆଜି ଅମୃତା 63 ବର୍ଷରେ ପାଦ ଥାପିଛନ୍ତି । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଫିଲ୍ମ କ୍ୟାରିୟର ଠୁ ନେଇ ସୈଫଙ୍କ ସହ ତାଙ୍କ ଛାଡପତ୍ର କାହାଣୀ...
1958 ଫେବୃଆରୀ 9ରେ ପଞ୍ଜାବୀ ପରିବାରରେ ଜନ୍ମ ଅମୃତା । 1980 ମସିହାରେ ତାଙ୍କ ଭଳି ସୁନ୍ଦରୀ ଅଭିନେତ୍ରୀ ବଲିଉଡକୁ ମିଳିଥିଲେ । ଯାହାଙ୍କ ଅଭିନୟ କରିବା ଅନ୍ଦାଜ ସବୁବେଳେ ଦର୍ଶକଙ୍କ ମନ କିଣୁଥିଲା । ବି-ଟାଉର ଆକ୍ସନ ହିରୋ ସନ୍ନି ଦେଓଲଙ୍କ ସହ 1983ରେ ଆସିଥିବା ଫିଲ୍ମ ‘ବେତାବ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସେ । ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ତାଙ୍କ ଅଭିନୟ ଦେଖି ନିର୍ମାତା ମଧ୍ୟ ଦିୱାନା ହୋଇଥିଲେ । ଯାହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ମିଳିବାରେ ଲାଗିଥିଲା ।
‘ବେତାବ୍’ ସଫଳତା ପରେ ସେ ‘ଆଇନା’, ‘ୱାରିସ୍’, ‘ଇଲାକା’, ‘ଦୁନିଆ’, ‘ବଟୱାରା’ ଭଳି ଫିଲ୍ମରେ ଅଭିନୟ କରି ଚର୍ଚ୍ଚିତ ଅଭିନେତ୍ରୀ ସାଜିଥିଲେ । ଆଉ ରାହୁଲ ରାୱଲିଙ୍କ ଫିଲ୍ମ ସେଟରେ ସୈଫଙ୍କୁ ପ୍ରଥମଥର ଦେଖିଥିଲେ ଅମୃତା । ପ୍ରଥମ ଦେଖାରେ ଅମୃତାଙ୍କୁ ହୃଦୟ ଦେଇ ବସିଥିଲେ ଛୋଟେ ନୱାବ । ହେଲେ ଅମୃତାଙ୍କୁ ଏହା ବିଷୟରେ କିଛି ମଧ୍ୟ ଜଣାନଥିଲା । କିଛି ଦିନ ପରେ ଅମୃତାଙ୍କୁ ସୈଫ ଫୋନ କରି ଡିନର ପାଇଁ ପଚାରିଥିଲେ ।