ମୁମ୍ବାଇ: ଦେଶରେ କୋରୋନା ମହାମାରୀ ହେତୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣ ବାହାରେ। ଡାକ୍ତରଖାନା ଗୁଡ଼ିକରେ ମୌଳିକ ସୁବିଧାର ଅସୁବିଧା ଦେଖାଦେଲାଣି । ଅମ୍ଳଜାନ ସିଲିଣ୍ଡର ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ବହୁତ ଅଭାବ ଦେଖାଦେଇଛି । ଏମିତି ପରିସ୍ଥିତିରେ କ୍ରମାଗତ ଭାବେ ଦେଶବାସୀଙ୍କ ସେବାରେ ଲାଗିଛନ୍ତି ସୋନୁ ସୁଦ । ସେ ଗତ ବର୍ଷରୁ ଏହି କାର୍ଯ୍ୟ ଜାରି ରଖିଛନ୍ତି । ତେବେ ତାହା ଦିଲ୍ଲୀ, ମୁମ୍ବାଇ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନ ହେଉ ସବୁଠାରେ ସୋନୁଙ୍କ ସାହାଯ୍ୟ ଲୋଡୁଛନ୍ତି ସମସ୍ତେ । ଆଉ ସାହାଯ୍ୟ ପାଇଁ ଅଭିନେତାଙ୍କ ମୋବାଇଲକୁ ମେସେଜ ଉପରେ ମେସେଜ ଆସୁଛି ।
ସାହାଯ୍ୟ ପାଇଁ ସୋନୁଙ୍କୁ ନନଷ୍ଟପ୍ ନୋଟିଫିକେସନ, ସେୟାର କଲେ ଭିଡିଓ - ଦେଶରେ କୋରୋନା ମହାମାରୀ
ଭାଇରାଲ ହେଲା ସୋନୁଙ୍କ ନୂଆ ଭିଡିଓ । ଏଥର ସେ ନିଜ ମୋବାଇଲ ଭିଡିଓ ସେୟାର କରି ଦେଶବାସୀଙ୍କ ସାହାଯ୍ୟ ପାଇଁ ଅଧିକ ସାହାଯ୍ୟକାରୀ ହାତ ଦରକାର ବୋଲି କହିଛନ୍ତି ।
ନନଷ୍ଟପ୍ ସାହାଯ୍ୟ ପାଇଁ ଅଭିନେତାଙ୍କ ମୋବାଇଲକୁ ବାର୍ତ୍ତା ପଠାଉଛନ୍ତି ଦେଶବାସୀ । କେହି କେହି ଅଭିନେତାଙ୍କୁ ଶଯ୍ୟା ବ୍ୟବସ୍ଥା କରିବାକୁ ନିବେଦନ କରୁଥିବାବେଳେ ଆଉ କିଛି ଅମ୍ଳଜାନ ପାଇଁ କହୁଛନ୍ତି । ଯାହାର ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ସୋନୁ ନିଜ ମୋବାଇଲ ଫୋନ ସମସ୍ତଙ୍କୁ ଦେଖାଉଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟି ମେସେଜ ତାଙ୍କ ପାଖକୁ ଆସୁଛି । ଆଉ ସାହାଯ୍ୟ ମାଗୁଛନ୍ତି ଜନସାଧାରଣ ।
ତେବେ ଏହି ଭିଡିଓ ସେୟାର କରି ସୋନୁ କ୍ୟାପସନରେ ଲେଖିଛନ୍ତି, ‘ଯେଉଁ ବେଗରେ ମୁଁ ସାରା ଦେଶରେ ଅନୁରୋଧ ପାଉଛି । ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ମୁଁ ଚେଷ୍ଟା ଚଳାଇଛି । ସମସ୍ତେ ଦୟାକରି ଆଗକୁ ଆସନ୍ତୁ । ଆମକୁ ଅଧିକ ସାହାଯ୍ୟକାରୀ ହାତ ଦରକାର । ତୁମର ସାମର୍ଥ୍ୟର ଯଥାସମ୍ଭବ ଚେଷ୍ଟା କର ।’ ଏହି ପୋଷ୍ଟ ଜରିଆରେ ସୋନୁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ସମସ୍ତଙ୍କ ସେବା କରିବା ପାଇଁ।