ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସବୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଇବାରେ ଲାଗିଛନ୍ତି ସମସ୍ତେ । ଏହି କ୍ରମରେ ଅନେକ ସେଲିବ୍ରିଟି ମଧ୍ୟ ସାମିଲ ଅଛନ୍ତି । ସର୍ବପ୍ରଥମେ ବି-ଟାଉନର କୁଇନ କଙ୍ଗନା ରଣୱାତ ବଲିଉଡ ଓ କିଛି ସେଲିବ୍ରିଟିଙ୍କ ଉପରେ ଏହି ସବୁ ଅଭିଯୋଗ ଲଗାଇଥିଲେ । ଇତିମଧ୍ୟରେ ଅଭିନେତା,ସଙ୍ଗୀତ ନିର୍ଦ୍ଦେଶକ ତଥା ଲିରିଷ୍ଟ ପିୟୁଷ ମିଶ୍ରା ସାମ୍ନାକୁ ଆସି ବଲିଉଡରେ ସାମ୍ନା କରିଥିବା ସମସ୍ୟାର ଖୁଲାସା କରିଛନ୍ତି । ତାଙ୍କ ଅନୁଯାୟୀ ବଲିଉଡରେ ପରିବାରବାଦଠୁ ଅଧିକ ଗାଳିଗୁଲଜ ଓ ଦାଦାଗିରି ଚାଲେ ।
ସେ ଏକ ସାକ୍ଷାତକାରରେ ଯୋଗ ଦେଇ ନିଜ ମନ କଥା ବଖାଣିଛନ୍ତି । ଆଉ କହିଛନ୍ତି, ‘ମୁଁ ଭାବୁନାହିଁ ବଲିଉଡରେ ପରିବାରବାଦ ଅଛି । ଯଦି ସେଠାରେ ଥାଆନ୍ତା ତେବେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିପାରିନଥାଆନ୍ତି । ପରିବାରବାଦ କେବେ ମୋ କାମ ମଧ୍ୟରେ ଆସିନାହିଁ । ନା କେବେ ମୋର କୌଣସି କ୍ଷତି କରିଛି । ଯେପର୍ଯ୍ୟନ୍ତ ମୁଁ କିଛି ମୂର୍ଖ କାର୍ଯ୍ୟ କରି ନଥିଲି, କେହି ମୋ କାମରେ ବାଧା ଦେବାକୁ ଚେଷ୍ଟା କରିନଥିଲେ | ଏମିତି ଗୋଟିଏ କିମ୍ବା ଦୁଇଟି ଘଟଣା ଘଟିଛି ଯେତେବେଳେ ମୁଁ କଷ୍ଟ ଭୋଗିଥିଲି । କାରଣ ମୁଁ ଚୁକ୍ତି ସଠିକ୍ ଭାବରେ ପଢିନଥିଲି । ଯାହା ମୋର ଜ୍ଞାନର ଅଭାବ ହେତୁ ହୋଇଥିଲା । ହେଲେ ଆଜି ମୋର କାମ ହେତୁ ଦର୍ଶକ ମୋତେ ପସନ୍ଦ କରୁଛନ୍ତି । ପରିବାରବାଦ କଥା ଯଦି କହିବି ତେବେ ଜଣେ ପିତା ଷ୍ଟାର ଥିଲେ ସେ ନିହାତି ନିଜ ପିଲାଙ୍କୁ ଷ୍ଟାର ରୂପେ ଦେଖିବାକୁ ପସନ୍ଦ କରିବ । ଯାହା ପରିବାରବାଦ ନୁହେଁ ।’