ମୁମ୍ବାଇ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଭାରତରେ ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟି କରି ବିବାଦକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର । ତାଲିବାନ ସହ ହିନ୍ଦୁଙ୍କୁ ତୁଳନା କରିଛନ୍ତି ସ୍ବରା । ଏହି କାରଣରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି #ArrestSwaraBhasker । ଏହାସହିତ ସ୍ବରା ଭାସ୍କରଙ୍କ ଗିରଫଦାରୀ ଦାବି କରିଛନ୍ତି ୟୁଜର୍ସ ।
ସ୍ବରା ଭାସ୍କର ସର୍ବଦା ସୋସିଆଲ ମିଡିଆରେ ଏଭଳି କିଛି ନା କିଛି ମନ୍ତବ୍ୟ ଦେଇ ବିବାଦ ଘେରରେ ରହିଥାନ୍ତି | ନିକଟରେ ଅଭିନେତ୍ରୀ ଟ୍ବିଟରରେ ତାଲିବାନ ଆତଙ୍କବାଦୀଙ୍କୁ ହିନ୍ଦୁତ୍ବ ସହିତ ତୁଳନା କରିଛନ୍ତି। ଏନେଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଉଛନ୍ତି ସ୍ବରା । ସୋସିଆଲ ମିଡିଆରେ ସ୍ବରା ଭାସ୍କରଙ୍କୁ ଗିରଫ କରିବାକୁ ଲୋକେ ନିରନ୍ତର ଦାବି କରୁଛନ୍ତି ।
ସ୍ବରା ଭାସ୍କର ଟ୍ବିଟ କରି କହିଛନ୍ତି ଯେ ହିନ୍ଦୁତ୍ବର ଆତଙ୍କରେ ଆମେ ଠିକ ହୋଇ ପାରିବୁ ନାହିଁ ଏବଂ ତାଲିବାନର ଆତଙ୍କବାଦୀ ଆକ୍ରମଣରେ ଆମେ ହତାଶ ହୋଇପଡିଛୁ । ତାଲିବାନର ଆତଙ୍କରେ ଆମେ ଶାନ୍ତ ହୋଇପାରିବୁ ନାହିଁ ଏବଂ ହିନ୍ଦୁତ୍ବର ଆତଙ୍କ ଉପରେ ଆମେ ସମସ୍ତେ କ୍ରୋଧିତ ହୋଇପାରିବା । ଆମର ମାନବିକ ଏବଂ ନୈତିକ ମୂଲ୍ୟବୋଧ ପୀଡିତ କିମ୍ବା ନିର୍ଯ୍ୟାତକଙ୍କ ପରିଚୟ ଉପରେ ଆଧାରିତ ହେବା ଉଚିତ ନୁହେଁ ।
ସ୍ବରା ଭାସ୍କରଙ୍କ ଏହି ଟ୍ବିଟ ପରେ ସୋସିଆଲ ମିଡିଆରେ ତାଙ୍କୁ କଡା ସମାଲୋଚନା କରାଯାଇଛି। ତାଙ୍କ ଟ୍ବିଟ ଉପରେ ଜନସାଧାରଣଙ୍କ ଆକ୍ରୋଶ ଦେଖିବାକୁ ମିଳୁଛି। ସମାଲୋଚନା କରିବା ସହିତ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଆଇପିସିର ଧାରା 295A ଅନୁଯାୟୀ, ଯିଏ ଧାର୍ମିକ ଭାବନାକୁ ଆଘାତ କରେ, ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବା ଉଚିତ ବୋଲି ଜଣେ ୟୁଜର କହିଛନ୍ତି ।