ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କାରବାରର ଏଯାବତ ଯାଞ୍ଚ କରୁଛି ଏନସିବି । ସେପଟେ ସିବିଆଇ ମଧ୍ୟ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଚେଷ୍ଟା ଚଳାଇଛି । ହେଲେ ତାଙ୍କ ମୃତ୍ୟୁରେ ମୁମ୍ବାଇ ପୋଲିସ କରିଥିବା ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠିସାରିଛି । ଏଥି ନିମନ୍ତେ ସୁଶାନ୍ତଙ୍କ ପିତା କେକେ ସିଂଙ୍କ ଅନୁରୋଧରେ ଏହି କେସ୍ ସିବିଆଇ ହାତକୁ ଯାଇଥିଲା । ସୁଶାନ୍ତଙ୍କ ମାମଲାରେ ବଲିଉଡ ସେଲିବ୍ରିଟିଙ୍କ ଠୁ ନେଇ ଶିବସେନାର ଯୁବ ନେତା ଆଦିତ୍ୟ ଠାକୁରଙ୍କ ନାମ ମଧ୍ୟ ଅନେକ ଥର ଆସିସାରିଛି । ଯାହାକୁ ନେଇ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୌନ ବ୍ରତ ଭାଙ୍ଗିଛନ୍ତି ।
ଏହାସହ ସେ ବି-ଟାଉନ କୁଇନ କଙ୍ଗନା ରଣାୱତଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସୁଶାନ୍ତ ମାମଲାରେ ତାଙ୍କ ପୁଅ ଆଦିତ୍ୟଙ୍କ ନାମ ଆସିବା ପରେ ଉଦ୍ଧବ ଠାକରେ ନୀରବତା ଭାଙ୍ଗିଛନ୍ତି। ଆଉ କହିଛନ୍ତି, ‘କେହି ଜଣେ ଆତ୍ମହତ୍ୟା କରିଛନ୍ତି, ସେ ବିହାରର ପୁଅ ହୋଇପାରନ୍ତି । ହେଲେ ସେଥିପାଇଁ ମହାରାଷ୍ଟ୍ରର ପୁଅମାନଙ୍କୁ ବଦନାମ କରାଗଲା । ତୁମେ ମୋ ପୁଅ ଆଦିତ୍ୟଙ୍କୁ ମଧ୍ୟ ବଦନାମ କଲ। ତେଣୁ ତୁମେ ଯାହା କହିଛ ତାହା ମନେରଖ । ଆମେ ସଚ୍ଚୋଟ।’